ରୀତି ତା' ଅତି ନିଆରା
ରୀତି ତା' ଅତି ନିଆରା


ଖେଳରେ ଖେଳରେ ମାଗି ଦେଇଥିଲ
ମୋ' ହସରୁ ଦୁଇ ଧାର,
ଭାବି ନ ଥିଲ କି ଅରପି ଦେବି ମୁଁ
ସବୁତକ ସୁଖ ମୋର ?
ହସ ଦେଉ ଦେଉ ସବୁ ସମର୍ପିଲି
ତୁମ ପ୍ରୀତି-ପଣତରେ,
ଭାବି ନ ଥିଲି ମୁଁ ବନ୍ଦୀ ହୋଇଯିବି
ତୁମ କାମାକ୍ଷାପୁରୀରେ !
କାମାକ୍ଷାପୁରୀ ସେ ନୁହେଁ ଗୋ କାମାକ୍ଷୀ
ମୋହିନୀ ମାନ ମନ୍ଦିର,
କ୍ଷଣିକ ମୋହର ବଶବର୍ତ୍ତୀ କରି
ତୋଳିଥାଏ ଯାଦୁଘର ।
ସୁଖର ଶେଯରେ ତାମରସୀ ତୁମେ
ତାମସିକ ଗୁଣ ଭୁଲି,
ହଜିଗଲ ନିଜ ତାମସା ଛଳରେ
ସତେ କି ବାସି ବର୍ଣ୍ଣାଳି ।
ମଧୁ ସମ୍ପର୍କକୁ ଭାବି ନେଇଗଲ
ବାଲ୍ୟଖେଳ ବାଲିଘର,
ଥରେ ଗଢିହେଲେ ଭାଙ୍ଗେନି ସମ୍ପର୍କ
ରହିଯାଏ ଚିରକାଳ ।
ତୁମ ନୟନରୁ ଲୋତକ ଝରାଇ
ହେବି କି ମୁଁ ମହାସୁଖୀ ?
ନୁହେଁ କି ସାଗର ତା' ସିକ୍ତ ବେଳାର
ଶାମୁକା ପ୍ରଣୟ ସାକ୍ଷୀ !
ମୋ' ସମର୍ପଣକୁ ସଂସ୍କାର ନ ଭାବି
ବିକାରରେ ଭରିଦେଲ,
ସେଇଥିପାଇଁ କି ସଂକୀର୍ଣ୍ଣ ପଣରେ
ମୋ' ଭାବକୁ ଭୁଲିଗଲ ?
&nb
sp;
ମୋ' ଭଲ ପାଇବା କିଣା ତ ନ ଥିଲା
ଶସ୍ତା ପ୍ରେମ ବଜାରରୁ,
ରକ୍ତ ଚନ୍ଦନର ସିକ୍ତ ସୁବାସରେ
କଳ୍ପିଥିଲି ପ୍ରୀତିତରୁ ।
ସେଇ ପ୍ରୀତିତରୁ କଳ୍ପବଟ ହୋଇ
ସପନ ଦେଖାଇଥିଲା,
ବିଧାନାନୁବର୍ତ୍ତୀ ଭାବ ବନ୍ଧନରେ
ମୋ' ସ୍ବପ୍ନ ସଜେଇଥିଲା ।
ପୁଷ୍ପମଞ୍ଜରିକା ପୁଷ୍ପପରାଗରେ
ପାଖୁଡ଼ାର ରୂପ ନେଇ,
ସତ୍ୟ ସମ୍ପର୍କର ପୁଷ୍ୟାଭିଷେକରେ
ପ୍ରେମ ଫଲ୍ଗୁ ଯାଏ ବହି ।
ତୁମ ଛଳନାର ରୂପ ନଗରୀରେ
ମୋ' ପ୍ରେମର ବନ୍ଧ୍ୟାପଣ,
ସଙ୍କୁଚିତ ହୋଇ ମିଥ୍ୟାପବାଦରେ
କଲା ଚରିତ୍ର ଚିତ୍ରଣ ।
ପ୍ରେମ ଖୋଜେନାହିଁ ପ୍ରେମ ଚାହେନାହିଁ
ଆଭିଜାତ୍ୟ ପରମ୍ପରା,
ପ୍ରେମ ତ ଶାଶ୍ୱତ ଭିତ୍ତି ସୁପ୍ରଶସ୍ତ
ରୀତି ତା' ଅତି ନିଆରା ।
କ୍ଷଣିକ କ୍ଷୁଧାର ବଶବର୍ତ୍ତୀ ହୋଇ
ପ୍ରେମ ହୁଏ କଳଙ୍କିତ,
ସଂଜ୍ଞା ତା' ସଂସ୍କୃତ ପ୍ରଜ୍ଞାରେ ପ୍ରଶସ୍ତ
ତଥାପି ସେ ନିର୍ଯାତିତ ।
ତୁମେ ତ ମାନବ ମାନବ ପ୍ରେମକୁ
ମାନବେ କର ସ୍ୱାଗତ,
ସ୍ୱର୍ଗ ଆଉ ମର୍ତ୍ତ୍ୟେ ପ୍ରଭେଦ ନ ଥିବ
ତାହା ହିଁ ଦିବ୍ୟ,ଶାଶ୍ୱତ ।