ରହିଗଲା ଅବସୋସ
ରହିଗଲା ଅବସୋସ
ମମତା ଡୋରରେ ଗଢା ଏ ସମାଜ
ସଭିଏଁ ଆମେ ମଣିଷ
ତିନୋଟି ଅକ୍ଷର ମାନେ ମିଳୁନାହିଁ
ରହିଗଲା ଅବସୋସ ।୧।
ସଂସାରରେ ସାର ଅକ୍ଷର ତିନୋଟି
ବେଳେ ବେଳେ ଦିଏ ହସ
କି ଆଉ କହିବି ଲଘୁ ଗୁରୁଜନ
ରହିଗଲା ଅବସୋସ ।୨।
ଯେ ନର ବୁଝେନି ସମ୍ମାନର ମାନେ
ବଡିମା ଯାହାର ଚାଷ
ସେ କାହୁଁ ବୁଝିବ ହୃଦୟର କଥା
ରହିଗଲା ଅବସୋସ ।୩।
ପିତା ମାତାଙ୍କର କେଉଁ କର୍ମଗୁଣେ
ଗରିବ ଘରେ ମୋ ବାସ
ଦେଇନି ସେନେହ ପାଇବି କେଉଁଠୁ
ରହିଗଲା ଅବସୋସ !୪!
ଭସା ବାଦଲ ମୁଁ ଭାସୁଛି ଗଗନେ
କୂଳକୁ ନାହିଁ ସାହସ
କେମିତି ସେବିଲେ ହୋଇବ ହରଷ
ରହିଗଲା ଅବସୋସ ।୫।
ଆହା କି ସୁନ୍ଦର ବାସ୍ତବ ଜୀବନ
ମୁଖେ ଫୁଟୁଥିଲେ ହସ
ସେଦିନ ପରବେ ଚାଲିଗଲ କାହିଁ
ରହିଗଲା ଅବସୋସ ।୬।
ନିର୍ଜନ ଦ୍ବୀପର ରାଜାର ଜୀବନ
କେହି ନଥାଏ ତା ପାଶ
ପଞ୍ଜୁରୀ ଭିତରେ ଶୁଆ କହେ ଶାରୀ
ରହିଗଲା ଅବସୋସ । ୭।
ଦିନଯାଏ ସରି ରାତି ଆସେ ମାଡି
କମିଲାଣି ମୋ ଆୟୁଷ
ଖୋଜୁଛି ଅନେକ କେଉଁଠି ରହସ୍ୟ
ରହିଗଲା ଅବସୋସ ।୮।
ଅକ୍ଷର ତିନୋଟି ନୁହେଁ ସାଧାସିଧା
ଖୋଜିଲେ ମିଳିବ ରସ
ନୟନରୁ ନୀର ବହେ ଧାରଧାର
ରହିଗଲା ଅବସୋସ ।୯।
କେଡେ କଠୋର ତୋ ନିର୍ମଳ ହୃଦୟ
ବଣୁଆ ଗଛ ବିଶେଷ
ଘର ଚାଳେ ବସି ଡାକୁନାହିଁ କାକ
ରହିଗଲା ଅଵସୋସ ।୧୦।
ତଥାପି ଖୋଜୁଛି ତା' ଗୁଢ ରହସ୍ୟ
ନହେଉ ପୃଥିବୀ ଶେଷ
ଧନ୍ୟ ଏହି ଦେଶ ଧନ୍ଯ ତା ମହିମା
ରହିଗଲା ଅବସୋସ ।୧୧।
ଆତ୍ମଗର୍ବେ କେହି ହୋଇନି ପ୍ରତିଷ୍ଠା
ତଥାପି ନୁହେଁ ଅବଶ
ବଳୁନାହିଁ ମନ ମାନେ ଖୋଜିବାକୁ
ରହିଗଲା ଅବସୋସ ।୧୨।
ମାର୍ମିକ ଅର୍ଥରେ ବ୍ଯବହାର ଏହି
ତିନୋଟି ଅକ୍ଷରେ ଶେଷ
ତିନିଜଣ ମଧ୍ଯେ ଆଲୋଚନା ଯେଵେ
ରହିଗଲା ଅବସୋସ ।୧୩।
ମନଦେଇ ଶୁଣ ହେ ଗୁଣିକ ଜନ
ଥରଟେ କର ପ୍ରୟାସ
ସଠିକ୍ ଉତ୍ତର ଯଦି ନ ମିଳିବ
ରହିଗଲା ଅବସୋସ ।୧୪।
ଧୀରସ୍ଥିର ଚିତ୍ତେ ମନଧ୍ଯାନ ଦେଇ
କହିବ କରି ଗବେଷ
ସବୁ ଶରଧାର ଅଧିକାରୀ ସିଏ
ରହିଗଲା ଅବସୋସ ।। ୧୫।।