ମୋ ବୋଉ
ମୋ ବୋଉ
ବୋଉ ଡାକ ହେଲା ଆଜିଠାରୁ ଶେଷ
କାହାକୁ ଡାକିବି ଆଉ
ରହିଗଲୁ ମନ ମଧ୍ୟରେ ସାଇତା
ଯୁଗଯୁଗ ରହିଥାଉ ।
କେତେ ଦୁଃଖକଷ୍ଟ ସହି ତୋ ଜୀବନେ
ମଣିଷ କରିଣ ଥିଲୁ
କିପରି ଶୁଝିବି ଋଣ ମୁଁ ତୋହର
କେଉଁଆଡେ ଚାଲିଗଲୁ ।
ଛାଡିଦେଇ ଗଲୁ ତିନିଗୋଟି ପୁତ୍ର
ତା ସଙ୍ଗେ ନାତିନାତୁଣୀ
ପୁତ୍ରବଧୂ ଆଉ ଆତ୍ମୀୟ ସ୍ବଜନ
ନେତ୍ରରୁ ବହୁଛି ପାଣି ।
ପୁତ୍ରକୁ ମଣିଷ କରିବା ପାଇଁ କି
ମାଜିଲୁ ପର ବାସନ
ନିଜେ ଉପବାସ ରହି ଯୋଗାଇଲୁ
ପୁତ୍ରକୁ ନୂଆ ବସନ ।
ଶାଶୁ ଶ୍ବଶୁରଙ୍କ ଅତ୍ଯାଚାର କେତେ
ସହିଅଛୁ ଧୈର୍ଯ୍ୟଧରି
ଖୁଦ ଆମ୍ବିଳରେ ଦିନ ତୁ କାଟିଛୁ
ପୁତ୍ରଙ୍କୁ ସାଥିରେ ଧରି ।
ତଥାପି ପୁତ୍ରକୁ କରାଇ ଶିକ୍ଷିତ
ସମାଜେ ଠିଆ କରିଲୁ
ଯୁଗଯୁଗ ପାଇଁ ରଖିଗଲୁ ନାମ
ମୋ ପାଇଁ ମୃତ୍ୟୁ ନୋହିଲୁ ।
ସାହିତ୍ୟରେ ମନ ବଳିଲା ଯେବେଠୁ
କଲମ ହାତେ ଧରିଲି
ସମ୍ବାଦ ସାହିତ୍ୟ ସମାଜ ସେବାରେ
ନିଜକୁ ହଜାଇ ଦେଲି ।
ଯେଉଁଆଡେ ଗଲେ ବୋଉ ବୋଲି ଡାକି
ଆନନ୍ଦରେ ଯାଉଥିଲି
ଫେରିଆସି ବୋଉ ଡାକିଦେଇ ଥରେ
ଆନନ୍ଦିତ ହେଉ ଥିଲି ।
ଆର୍ଥିକ ଅବସ୍ଥା ନୁହଁଇ ସ୍ବଚ୍ଛଳ
ଭାଙ୍ଗିଗଲା ମନୋବଳ
କେମିତି ଚଳିବି ଏସମାଜେ ମୁହିଁ
ପାଉନାହିଁ ଥଳକୂଳ ।
ଦୁଇ ହଜାର ବାଇଶି ମସିହାର
ମେ ମାସ ସାତ ତାରିଖ
ହଠାତ୍ ଦୁଃଖରେ ଆଳଦା ଗାଆଁର
ବଦଳିଲା ରୂପରେଖ ।
ସାରା ଜୀବନଟା କଟିଲା ଦୁଃଖରେ
ପାଇଲୁନି ଟିକେ ଶାନ୍ତି
ଅସମୟେ ତୁମେ ସ୍ବର୍ଗଗାମୀ ହୋଇ
ଦେଇଣଗଲୁ ଅଶାନ୍ତି ।
ତୁମ ମହାନତା ସହନ ଶୀଳତା
ଅଛି ଯେତେ ସବୁ ଗୁଣ
ବର୍ଣ୍ଣନା କରିଲେ କେଜାଣି କେତେ ଯେ
କାଗଜ ଲାଗିବ ଜାଣ ।
ଘରୁ ଗଲାବେଳେ ନେଇ ଆଶୀର୍ବାଦ
ବୋଉ ଡାକି ଯାଉଥିଲି
କାହାକୁ ଡାକି ମୁଁ ବାହାରକୁ ଯିବି
କହିଦେ ବୋଉ ତୁ ଖୋଲି ।
ଯେଉଁଠି ଥିଲେ ତୁ ଶାନ୍ତିରେ ରହିବୁ
କରିବୁନି ମନ ଦୁଃଖ
ତୋ ପୁଅ ନରେନ୍ଦ୍ର ଭୁଲିବନି କେବେ
ଦେଇଅଛୁ ଯେତେ ସୁଖ ।
ପିତା ବଂଶୀଧର ମାତା ମୋ ଯମୁନା
ସ୍ବର୍ଗରେ କରିଲ ଘର
ସାହା ଓ ଭରସା ଦେବାପାଇଁ କେହି
ରହିଲ ନାହିଁ ମର୍ତ୍ତ୍ୟର ।
ପିତା ମାତାଙ୍କର ଅମର ଆତ୍ମାକୁ
ରଖିବ ସୁଖଶାନ୍ତିରେ
ଏତିକି ଗୁହାରୀ ଶୁଣ ଜଗନ୍ନାଥ
ନିବେଦନ ଅଶ୍ରୁ ନୀରେ ।