ପୂଜିବା ସମସ୍ତେ ଶିବ
ପୂଜିବା ସମସ୍ତେ ଶିବ
ଆଜି ସୋମବାର ଶିବଙ୍କର ବାର
ଅଟଇ ପଵିତ୍ର ଜାଣ
ଅତି ଶରଧାରେ ଶିବଙ୍କୁ ପୂଜିଲେ
ହୋଇବ ଦୂର କଷଣ ।୧।
ଧୂପ ନଇବେଦ୍ୟ ସଙ୍ଗତରେ ନେଇ
ହରସେ ମନ୍ଦିର ଯିବା
ଜୀବନରେ ଯେତେ ଯାହା ଦୁଃଖ ଅଛି
ବୁଝାଇ ତାଙ୍କୁ କହିବା ।୨।
ହରସ ମନରେ ଜଣାଇଣ ଦୁଃଖ
ମାଗିବା ସୁଖ ବାବାଙ୍କୁ
ଶାନ୍ତ ହେଲେ ବାବା ଆନନ୍ଦ ମନରେ
ସୁଖ ତ ଦେବେ ଆମ୍ଭଙ୍କୁ ।୩।
ଦେବଦେବ ମହା ଦେବ ସଦାଶିବ
ଶ୍ମଶାନେ ବାସ ଯାହାର
ରାଗିଗଲେ ପ୍ରଭୁ କରନ୍ତି ତାଣ୍ଡବ
ଛାନିଆ ହୁଅନ୍ତି ନର ।୪।
ଗଞ୍ଜେଇ ନିଶାରେ ନିମଗ୍ନ ରୁହନ୍ତି
ବାବା ଭୋଳା ମହେଶ୍ବର
ତଥାପି ଜଗତେ ନର ନାରୀଗଣ
କରନ୍ତି ସେବା ତାଙ୍କର ।୫।
ଶିବ କୃପା ହେଲେ ଅପାର ଆନନ୍ଦ
ମିଳିଥାଏ ଜୀବନରେ
ଅପମାନ ଦେଲେ ଶିବ ଠାକୁରଙ୍କୁ
ଲଭିବା ଦୁଃଖ ସଂସାରେ ।୬।
ଶିବ ବିନା ମୁକ୍ତି ନାହିଁ ଏ ସଂସାରେ
ଶିବହିଁ ପରମ ଦେବ
ସକଳ ଦୁଃଖରୁ ମୁକତି ନିମନ୍ତେ
ପୂଜିବା ସମସ୍ତେ ଶିବ ।୭।
ଆସ ଆଜି ଆମ୍ଭେ ମନ୍ଦିରକୁ ଯିବା
ପୂଜିବା ଶିବ ପୟର
ଦୁଃଖ ପରିବର୍ତ୍ତେ ସୁଖ ମାଗି ଆମ୍ଭେ
ଫେରିବା ଆନନ୍ଦେ ଘର ।୮।
ସ୍ଥାନେ ସ୍ଥାନେ ଶିବ ମନ୍ଦିର ପ୍ରତିଷ୍ଠା
କଲେଣି ଶିବଙ୍କ ଭକ୍ତ
ସନ୍ତୁଷ୍ଟ ରହିଲେ ପ୍ରଭୁ ସଦାଶିବ
ବୋହିବନି କେବେ ରକ୍ତ ।୯।
ଶିବ ମହାମନ୍ତ୍ର ଜପିଣ ମନରେ
ତରିଛନ୍ତି କେତେ ନର
ପବିତ୍ର ମନରେ ଶିବ ପୂଜା କଲେ
ତୁରନ୍ତ ମିଳିବ ବର ।।୧୦।।
