ବୀବେକୀ ଦିଏକି ଧୋକା
ବୀବେକୀ ଦିଏକି ଧୋକା
ଗର୍ବ ଅହଂକାରେ ଚାଲିବା ମଣିଷ
ମାନେ ନାହିଁ ବଡ଼ ସାନ
ଧନ ସମ୍ପତ୍ତିକୁ ବଡ଼ ମନେକରି
ନିଜକୁ ଭାବେ ମହାନ ।
ଯୌବନକୁ ମଣେ ଅତି ଆପଣାର
ସୁନ୍ଦରକୁ ଭାବେ ଜ୍ୟୋତି
ଥାଉ ଯେତେ ଗୁଣ ପାଏନି ଆଦର
କାନ୍ଦୁ ଥାଏ ଦିନ ରାତି ।
ଧନ ଓ ସମ୍ପତ୍ତି ନୁହେଁ ଦୀର୍ଘସ୍ଥାୟୀ
ତଥାପି କରୁଛି ଗର୍ବ
ଏକଥାକୁ କେବେ ଦିଏନା ସେ ଧ୍ଯାନ
ଯାହା ଦେଖୁଛନ୍ତି ସର୍ବ ।
ଧର୍ମ ଏକା ସିନା ମହତ ପଣିଆ
ଏକଥା ମନରେ ହେଜ
ଆଉ ସବୁ ବାକି ଅଢେଇ ଦିନିଆ
ବଢାଅନି କେବେ ତେଜ ।
ଆଜି ଏ ସମାଜେ କେତେ ନରନାରୀ
ଧରାକୁ ସରା ମଣନ୍ତି
ପୂର୍ବ ପୁରୁଷଙ୍କ କହିଥିବା କଥା
କେବେ ହେଲେ ନ ମାନନ୍ତି ।
ଗରିବ କାନ୍ଦୁଛି ଘରକୋଣେ ବସି
ଅହଙ୍କାରୀ ହସେ ବସି
କେତେକ ସୁନ୍ଦରୀ ହସନ୍ତି ପୁରୁଷକୁ ଦେଖି
କହି ମୋ ପ୍ରେମରେ ଯାଅ ଫଶି ।
ସୁନ୍ଦର ପଣରେ ବାନ୍ଧି ମୁଁ ରଖିଛି
ଯାଇ ପାରିବନି ଖସି
ଖସିଯିବ ଯେବେ ପଡିଯିବ ଛନ୍ଦି
ପାଇଯିବ ତୁମେ ଫାଶୀ ।
ରାଜା ଜମିଦାର ଯୁଗ ନାହିଁ ଆଉ
ଏ ରାଜନୀତିର ଯୁଗ
ଅହଙ୍କାରୀ କୁହେ କରିବି ଶାସନ
ଯାହା ଭୋଗିବ ତ ଭୋଗ ।
ଗର୍ବ ଅହଂକାର ସୁନ୍ଦର ପଣରେ
ଭରିଛି ସାରା ସଂସାର
ମଣିଷ ପଣିଆ ହଜିତ ଗଲାଣି
ସମସ୍ତେ ହେଲେଣି ପର ।
ଆସ ଆଜି ଆମେ ଏକତ୍ର ହୋଇଣ
ଗର୍ବକୁ ଦେବା ଦୂରେଇ
ଅହଙ୍କାର ଶବ୍ଦ ମନରୁ ହଟାଇ
ସଭିଙ୍କୁ ମଣିବା ଭାଇ ।
ଗୁଣହୀନ ଖାଲି ସୁନ୍ଦରୀକୁ ଦେଖି
ପଡିବାନି ତା'ର ଫାନ୍ଦେ
ଜୁହାର କରୁଛି ପଡିଥିଲି ଦିନେ
ଆଜିବି ଝୁରିକି କାନ୍ଦେ ।
ହୃଦୟ ହୀନା ସେ ସୁନ୍ଦରୀକୁ ଯଦି
ଦେଇଛ ଭଉଣୀ ଡାକ
ମହାକାଳ ଫଳ ପରି ଦେଖିବ ଉପରୁ
ଭିତରେ ପାଇବ ଦୁଃଖ ।
ଲେଖାର ମର୍ମକୁ ନ ଭାବି ଖରାପ
ଟାଣେ ଯେ ନିଜ ଦେହକୁ
ଲେଖକ ବାପୁଡା ମନ ଦୁଃଖେ ମରେ
ଭୁଲ ! କହିନି କାହାକୁ ।
ନିଜ ଗାଁ କଥା ନିଜ ଅନୁଭୂତି
ଦେଇଛି ଲେଖାରେ ସ୍ଥାନ
ଦୁନିଆଁ ଦାଣ୍ଡରେ ନିନ୍ଦାକରି ମୋତେ
ହୋଇବ କି ଭାଗ୍ଯବାନ ।
ଏପରି ସୁନ୍ଦରୀ ନାରୀ ମନେ ପ୍ରଭୁ
ଭରିଦିଅ ସତ୍ ଚିନ୍ତା
ନିତି ପ୍ରଭାତର ଅନୁଚିନ୍ତା ବୁଝି
ଦୁରାଉ ତାର ଦୁଃଶ୍ଚିନ୍ତା ।
ହାତଯୋଡି କହେ ନଧରିବ ଦୋଷ
କରିଦେବ ମୋତେ କ୍ଷମା
ଅନୁଭୂତି ନେଇ କବିର କଲମ
ଡରିବନି କେବେ ଜମା ।
ନିର୍ଦୋଷକୁ ଆଜି ସଜାଇଣ ଦୋଷୀ
କେ ନୁହଁ ଜଗତ ଜିତା
ଅବୁଝା ଆଜି ବି ମୁରୁକି ହସୁଛି
ମଥାରେ ମାରିଣ ଚିତା ।
ସାହିତ୍ୟର ମାନେ ବୁଝେ ନାହିଁ ଯିଏ
ସେ ନୁହଁ ସାହିତ୍ଯିକ/କା
ସାହିତ୍ଯିକ ବନ୍ଧୁ କ୍ଷମା ଦେବ ମୋତେ
ବିବେକୀ ଦିଏ କି ଧୋକା ।