ଏ ମୋର ସତ୍ୟବଚନ
ଏ ମୋର ସତ୍ୟବଚନ
ଦୁଃଖ ମୋର ଆଜି ଅସହ୍ୟ ହେଲାଣି
କହିଦିଅ ମନ ଖୋଲି
କରୁଣା ତୁମର ହେଉନି କାହିଁକି
ଯିବିକି ତୁମକୁ ଭୁଲି ।
ଦୁଃଖ ଦେବା ଯଦି ଥିଲା ତୁମ ମନେ
କାହିଁକି କରିଲ ଠିଆ
କେତେଦିନ ଆଉ ମୋ ଦୁଃଖ ଦେଖିବ
କହରେ ଜଗା କାଳିଆ ।
ଡାକିଡାକି ମୋର କଣ୍ଠ ଶୁଖିଲାଣି
ପାରୁନାହିଁ ଆଉ ଡାକି
ଚାଲିବାକୁ ମୋର ପାଉନାହିଁ ବଳ
ଗଲିଣି ମୁଁ ଆଜି ଥକି ।
ବଡ଼ଦାଣ୍ଡ ଧୂଳି ମୁଣ୍ଡେ ମାରିବାକୁ
କରିଛି ଆଶା ମନରେ
ନିରାଶ ନକର ଆହେ ପ୍ରଭୁ ତୁମେ
ରହିଛି ଅଧା ବାଟରେ ।
ଆଖି ଛଳଛଳ ନୟନ ଯୁଗଳ
ଖୋଜୁଛି କେଉଁ କାଳରୁ
ତୁମ ବ୍ରହ୍ମ ରୂପ ଦର୍ଶନ ପାଇଁ କି
ଆସିଛି ବାହାରି ଘରୁ ।
ଫେରିବିନି ଆଉ ପଛକରି କେବେ
ମନରେ ଏହା ଭାବିଛି
ଅଧାବାଟେ ମୋର ଜୀବଗଲେ ଯାଉ
ତଥାପି ନାମ ଜପୁଛି ।
ଦୁଃଖ ଦରିଆରେ ଭାସେ ମୋ ଜୀବନ
ଆଖିଖୋଲି ଥରେ ଦେଖ
ନହୋଇ ନିର୍ଦ୍ଦୟ ଦରଶନ ଦିଅ
ପାଇବି ଟିକେ ମୁଁ ସୁଖ ।
ସୁଖ ଦୁଃଖ ସବୁ ତଉଲିବା ପାଇଁ
ଧରିଛ ହାତେ ନିକିତି
ପାଦମୋର ଆଉ ଉଠୁନି ଆଗକୁ
ଚାଲିବାକୁ ଦିଅ ଶକ୍ତି ।
ସିଂହାସନ ତୁମ ଟଳମଳ ହେବ
ଏଇଠି ଗଲେ ଜୀବନ
ଜଗନ୍ନାଥ ନାମ ସଂସାରେ ହଜିବ
ଏ ମୋର ସତ୍ୟ ବଚନ ।
ଛାଡି ସିଂହାସନ ଅଧାବାଟେ ଆସ
ଆହେ ପ୍ରଭୁ ଜଗନ୍ନାଥ
ଭାଙ୍ଗିଦିଅ ତୁମ ବଡ଼ପଣ ଆଜି
କରନି ମୋତେ ଅନାଥ ।