ରବିର ସ୍ୱପ୍ନ
ରବିର ସ୍ୱପ୍ନ
ଶ୍ରେଣୀ ରେ ଦିନେ ମୁଁ ପଚାରିଲି ପିଲେ କଅଣ ତୁମର ଲକ୍ଷ୍ୟ,
ନିଜ ମନକଥା ସମସ୍ତେ ନିଜର ଖାତା ଖୋଲି କରି ଲେଖ ।
କିଏ ଲେଖିଥିଲା ଡାକ୍ତର ହେବି କିଏସେ ଇଞ୍ଜିନିୟର ,
କିଏ କିଏ ପୁଣି ଲେଖିଥିଲେ ହେବୁ ଶିକ୍ଷକ, କଳାକାର ।
କିଏ ଲେଖିଥିଲା ଓକିଲ ପୁଣି କେ ଚାଟାର୍ଡ ଆକାଉଣ୍ଟାଣ୍ଟ,
ଆଉ କିଏ ପୁଣି ଲେଖିଲା ପଢିବି ହୋଟେଲ ମ୍ୟାନେଜମେଣ୍ଟ ।
ଗୋଟିଏ ପିଲା ସେ ଲେଖିଥିଲା ମୁହିଁ ବଡ଼ ହେଲେ ହେବି କବି,
ତାକୁ ଡାକିଯେବେ ପଚାରିଲି ନାଁ କହିଲା ମୋ ନାମ ରବି ।
ପଚାରିଲି ତାର ପିଠି ଥାପୁଡ଼େଇ କାହିଁକି ହେବୁ ତୁ କବି ?
ତା ଉତ୍ତର ଶୁଣି ପାଦତଳୁ ମୋର ମାଟି ଆପେ ଗଲା ଦବି ।
କହିଲା ସେ ଦିନେ ଟି,ଭି,ରେ ତା ବାପା ଦେଖିଲେ କବି ପ୍ରୋଗ୍ରାମ
ଦେଖିସାରି ସିଏ କହିଲେ ୟାକୁ ତ ଲେଖିଦେବ ଆମ ଦାମ ।
ଉତ୍କଣ୍ଠା ରେ ମୁଁ ପଚାରିଲି ବାବା କିଏ ଅଟେ ସେହି ଦାମ,
ବିନା ଦ୍ବିଧାରେ ସେ ଉତ୍ତର ଦେଲା ହଳିଆଟି ସିଏ ଆମ ।
ରବି ଭାବିନେଲା କବି ହେବା ପାଇଁ ଲୋଡା ନାହି କିଛି ପାଠ,
କାହିଁକି ଆଉ ସେ ପାଠକୁ ଲେଖିବ ଘୋରିଘୋରି ନିଜ ହାତ ।
ସେଥିପାଇଁ ସିଏ ଛାଡ଼ି ଦେଲାଣି ତା ଗଣିତ କଷିବା ହବି,
ବିଜ୍ଞାନ ର ସେ ଜଟିଳ ତତ୍ତ୍ଵ ଲେଖୁନାହି ଆଉ ଭାବି ।
କବି ହେବା ଅତି ସହଜ ତାଲାଗି ପାଠ କିଛି ଲୋଡା ନାହିଁ,
ସେଥିପାଇଁ ରବି ସ୍ୱପ୍ନ ଦେଖୁଛି କବିଟିଏ ହେବାପାଇଁ ।
