ରାତ୍ରୀ ରାଣୀ-୩
ରାତ୍ରୀ ରାଣୀ-୩
ଅତି ସୁକୁମାରୀ ଅଲିଅଳି ବାଳା
ତାରା ଗହଣଙ୍କ ମେଳେ ,
ଅଭିସାରେ ନିଜେ ସଜାଇ ହେଇଛି
ଆକାଶର ଛାତି ତଳେ ।
ପିଆସୀ ପ୍ରାଣର ପରିଚୟ ଦେଇ
ଓହ୍ଲାଇ ଆସଇ ଧୀରେ ,
ନବ ବଧୁ ପରି ଓଢ଼ଣାକୁ ଟାଣି
କଁଅଳ ପରଶ ଭରେ।
ମଥାରେ ନାଇଛି କି'ସୁନ୍ଦର ଆହା
ରୂପାଚକି ଜହ୍ନଟିଏ ,
ଓଢ଼ଣାଟି ତଳୁ ଦାଉ ଦାଉ ଦିଶେ
ଲଲାଟରେ ଟୋପାଟିଏ ।
ରାତ୍ରୀରାଣୀ ତୁମେ ପ୍ରୀତିରେ ଭିଜାଅ
ତାରା ଫୁଲେ ପାରି ଶେଯ ,
ମଉନାବତୀ ଗୋ' ମଉନେ ମଉନେ
ବୁଣିଦିଅ ଶାନ୍ତି ବୀଜ ।
ଆଗୋ ଭାଗ୍ୟବତୀ ଆବିର୍ଭୁତା ହୁଅ
ତୁମ ସମ ଆଉ କିଏ ?
ତୁମ ଆଗମନୀ ଚାହିଁ ରହିଥାନ୍ତି
ସସାଗରା ଧରା ଯାଏଁ ।
କ୍ଳାନ୍ତ ନୟନରେ ମାଦକତା ଭର
କଳା ଓଢ଼ଣୀକୁ ଫେଇ ,
ପୃଥିରେ ବିରାଜି ନାନା ରଙ୍ଗ ଭର
ତାରା ସଖୀ ସଙ୍ଗେ ନେଇ।
ଘନ ଅନ୍ଧକାରେ ନିଶୂନ୍ ରାତିରେ
ବିଶ୍ରାମ ଭରି ଜୀବନେ ,
ସାରା ସୁଖ ବାଣ୍ଟି ଫେରିଯାଅ ପୁଣି
ଉଷା ରାଣୀ ଆଗମନେ ।