ରାମ ବନବାସ
ରାମ ବନବାସ
ରାଗ - ନଳିନୀ ଗୌଡା ।
ଶୁଣ ହୋ କୋବିଦେ ରାଜ ସଭା ମଧ୍ୟେ
ବସି ରାଜା ଦଶରଥ
କହିଲେ ଶ୍ରୀରାମ ହସ୍ତେ ରାଜ୍ୟ ଭାର
ନ୍ୟସ୍ତ କାର୍ଯ୍ୟରୁ ବିରତ ଯେ ।
ସର୍ବେ।
ତଥାସ୍ତୁ କଲେ ଆନନ୍ଦ ଗର୍ବେ ଯେ ।
ବ୍ୟାପିଲା ତୁଣ୍ଡ ବାଇଦ ରବେ ଯେ । ୧।
ବିପଣିରେ ଶୁଣି ରାମ ରାଜା ବାଣୀ
ଆସଇ ମନ୍ଥରା ତ୍ୱରା
ଅଶ୍ରୁ ଗଳେ ତାର ନୟନ ଯୁଗଳେ
ଗଳେ ପ୍ରାଣ ଥିଲା ପରା । ସେ ଗତ ।
କୈକେୟୀ ଆଗରେ ଉପସ୍ଥିତ । ସେ।
ବେନି ବର ପାଇଁ ସନମତ ଯେ ।
କରି ଥିଲେ ରାଜା ବେଗେ ତୁ ମାଗ ଯା
କହ ଯା ଭୁଲାଇ ତାଙ୍କୁ
ରାମ ରାଜା ହେଲେ ତୁ କି ଲୋ କୈକେୟୀ
ସହି ପାରିବୁ ତାହାଙ୍କୁ ଲୋ । ରାଣୀ
କର୍ମ ତୋର ମନ୍ଦ ଲୋ କୈକେୟୀ । ଲୋ
କପାଳେ କର ତାଡ଼ିବୁ ତୁହି । ଲୋ ।୨
ଅଯୋଧ୍ୟା ପତି ପଦ ରାମେ ଉଚିତ
ନୁହେଁ ସେ ଜାମାତା ତାର
ଅରଣ୍ୟ ରେ ହରୁ ଚଉଦ ବରଷ
ପୁତ୍ର ରାଜା ହେଉ ତୋର ଲୋ । ବାଣୀ
ଭାଷ ଯା ବେଗେ ତା ଆଗେ ଧାଇଁ । ଲୋ
ବେନି ବର ତୋ ମାଗିବୁ ଯାଇ ଲୋ ।୩ ।
ମନ୍ଥରା ମନ୍ତ୍ରଣା ବାଣୀ ଶୁଣି ରାଣୀ
ସେ କୈକେୟୀ ଯେ ସବେଗ
ଚଳିଲେ ସତ୍ଵରେ ପ୍ରବେଶ ସେ ଖରେ
ରାଜା ଦଶରଥ ଆଗ ଯେ । ହରି ।
ବଚନେ ସନ୍ତୋଷ କରି ହରି ଯେ।
ନେଲେ କ୍ଷଣେ ରାଜା ମନୋହାରୀ ଯେ ।୪
ବେଳାକୁ ନ ଲଂଘେ ସତ୍ୟେ ପାରାବାର
ଯଥା ତାକୁ ନ ଲଂଘିଲା
ବିଷ ଭକ୍ଷଣ ରେ ବିରୁପାକ୍ଷ ପରି
ମୁକେ ସମ୍ମତ ଦିଶିଲା ଯେ। ଋତ ।
ବି - କଳ କୂଜନେ ଦୂରେ ରତ ଯେ ।
ବି କଳେ କାନ୍ଦନ୍ତି ଦଶରଥ ଯେ । ୫ ।
ଚାହିଁ କଇକେୟୀ ସନ୍ତୋଷେ ବୋଲଇ
ଯାଇ ଶ୍ରୀ ରାମ ସମୀପେ
ପିତୃ ସତ୍ୟ ପାଳି ଯାଆ ବେଗେ ଚଳି
ବୋଲି ବୋଇଲା ହୃତ୍ କମ୍ଫେ ସେ । ଖରେ ।
ବୈଦେହୀ ଲକ୍ଷ୍ମଣ ଅଗ୍ରତରେ ଯେ
ଯାଇ ରାମ ଭାଷିଲେ ତା ଖରେ ଯେ । ୬ ।
ତକ୍ଷଣେ ଶ୍ରୀରାମ ବିନମ୍ର ପ୍ରଣାମ
କରି ପିତୃ ମାତୃ ପଦେ
ସୁମନ୍ତ୍ର ବିମାନେ ଯାଇ ଆରୋହଣେ
ଚଳିଲେ ଅଟବୀ ପଥେ । ସେ କ୍ଷଣ
ଜାନକୀ ଲକ୍ଷ୍ମଣ ବେନି ଜଣ ଯେ
ସଙ୍ଗତରେ ଥାନ୍ତି ଅନୁକ୍ଷଣ ସେ ।୭ ।
ସତ୍ୟ ସଦ୍ଧ ରାଜା ଦଶରଥ ଚିତ୍ତ
ବିକଳ ଦୁଃଖ ପୀଡ଼ିତ
ଅନଶନେ ହାରି ସେ ପ୍ରାଣ ତୁରିତ
ସର୍ବେ ହେଲେ କାତରିତ । ସେ କାଳ
ନିଶା ମୁଖେ ହାସ୍ୟର କଲ୍ଲୋଳ ଯେ ।
ନିଶା ନାଶେ କ୍ରନ୍ଦନର ରୋଳ ଯେ ।୮ ।
ଜାହ୍ନବୀ ପୁଳିନେ ଭରଦ୍ୱାଜାଶ୍ରମେ
ଛାଡ଼ି ଫେରିଲେ ସୁମନ୍ତ୍ର
ଅଳ୍ପ ଦିନାନ୍ତ ରେ ଚିତ୍ର କୁଟ ଠାରେ
ନିର୍ମାଣ କଲେ କୁଟୀର । ସେ ଯାଇ
ଗହନ କାନନେ ସୁଖେ ଥାଇ ଯେ ।
ପ୍ରଜାଏ ଦୁଃଖୀ କୈକେୟୀ ପାଇଁ ଯେ ।୯ ।