ରାମ ଭକ୍ତ ଭରତ
ରାମ ଭକ୍ତ ଭରତ
ରାମକେରୀ - ବୃତ୍ତେ
ଜୟ ପ୍ରଭୁ ରଘୁମଣି ହେ
ଜୟ କୌଶଲ୍ୟା ସୁତ
ତୁମ୍ଭ କୀର୍ତ୍ତି ଲେଖି ଜୀବନେ
ଲଭେ ସୁଧା ଅମୃତ ।
ରୁଷ୍ୟସୃଂଗ ମୁନୀ ହସ୍ତରେ
କାମେଷ୍ଟି ଯଜ୍ଞ ଆଣି
ଅପୁତ୍ରିକ ଦୋଷ ନାଶିବେ
ଦଶରଥ ବଖାଣି ।
ଯଜ୍ଞ କରି ଦଶରଥ ଯେ
ଚାରି ପୁତ୍ର ଲଭିଲେ
ସ୍ବରାଜ୍ୟେ ପରଜା ପାଳିଣ
ଅତି ଆନନ୍ଦେ ଥିଲେ ।
ସମୟ କ୍ରମରେ ରାମ ଯେ
ସୀତା ପାଣି ଧରିଲେ
ଜନକ ନନ୍ଦିନୀ ସଙ୍ଗତେ
ଅଯୋଧ୍ୟାରେ ମଣ୍ଡିଲେ ।
ନିୟତି ଚକ୍ରାନ୍ତ କୋଳରେ
ଅଭିଷେକ ସମୟ
କୈକେୟୀ ରାଣୀଙ୍କ ହୃଦୟ
କ୍ରୋଧେ ହୁଏ ଅଥୟ ।
ଅତୀତ ବରକୁ ରଖିଲେ
ଦଶରଥ ସମ୍ମୁଖ
ଶୁଣି ଯେ ରାଜନ କାକୁତି
କରି ଜଣାନ୍ତି ଦୁଃଖ ।
କି ଦୋଷ କରିଲା ରାମ ଯେ
କର ଶାସ୍ତି ବିଧାନ
ରାମ ବିନା ମୋର ପିଣ୍ଡରୁ
ଛାଡି ଯିବ ଯେ ପ୍ରାଣ ।
ରାମଚନ୍ଦ୍ର ଆଗେ ବୋଲନ୍ତି
କାନ୍ଦି ଅଯୋଧ୍ୟା ରାଜା
ଆଜ ଠାରୁ ତୋତେ ଦେଉଛି
ଚୌଦ ବରଷ ସଜା ।
ସତ୍ୟ କର ଏହା ଦେବୁ ତୁ
ତୋତେ ମାଗୁଛି ଆଜ
ଶ୍ରୀରାମ ବୋଲନ୍ତି ନିଶ୍ଚୟ
ତାତ ହେଉଛି ସଜ ।
ବିମ୍ବାଧର ବେଶେ ଚଳିଲେ
ଭାତୃ ଜାୟା ସଙ୍ଗତେ
ଏ କଥା ଶୁଣିଲେ ଭରତ
ଅଶ୍ରୁ ସଜଳ ନେତ୍ରେ ।
ଭାଇଙ୍କୁ ଫେରାଇ ଆଣିବେ
କଲେ ଅନୁସରଣ
ଚିତ୍ରକୁଟ ପର୍ବତରେ ଯେ
ହୁଏ ଭାତୃ ମିଳନ ।
ଚରଣରେ ପଡ଼ି ବାହୁନି
କ୍ରନ୍ଦନରେ ଆକୁଳ
ବୋଲନ୍ତି ଯେ ଜ୍ୟେଷ୍ଠ ତୁମେ ତ
ଦେଲ ନିନ୍ଦାର ଫଳ ।
କି ବୋଲିବେ ସାରା ସଂସାର
ସ୍ଵାର୍ଥପର ଚଣ୍ଡାଳ
ଭାତୃ ରାଜ୍ୟ ନେଲା ଛଡ଼ାଇ
କେତେ ଭୁଜରେ ବଳ ।
ଶ୍ରୀରାମ ବୋଲନ୍ତି କାହିଁକି
ତୁହି ହେଉ ବ୍ୟଥିତ
ଚଉଦ ବରଷେ ଫେରିବି
ଏହା ନିରାଟ ସତ୍ୟ ।
ଧନ୍ୟ ସେହି ଭାତୃ ପ୍ରେମ ସେ
କିବା ବର୍ଣ୍ଣିବି ମୁହିଁ
ଯାହାର ଦର୍ଶନେ ପାତକ
ଯାଏ ନିମିଷେ ଧୋଇ ।
ଆକୁଳେ କହିଲେ ଭରତ
ରଖ ମୋର ବଚନ
ପାଦୁକା ଦୁଇଟି ଅର୍ପଣ
କର ଭାତୃ ରତନ ।
ଆନନ୍ଦେ ବୋଲନ୍ତି ବାବୁରେ
ତୋର ବାକ୍ୟ ରଖିଲି
ଅତି ଶରଧାରେ ତୋ ହସ୍ତେ
ମୋର ପାଦୁକା ଦେଲି ।
ଏତେ ବୋଲି ଶିରେ ଧରିଲେ
ଭାଇଙ୍କର କଠଉ
ଜୟ ହେ ଶ୍ରୀରାମ ରାମ ହେ
ଜପି ମୋ ପ୍ରାଣ ଯାଉ ।
ନନ୍ଦିଗ୍ରାମେ ସ୍ଥାପି ପାଦୁକା
ପୂଜା କରିଲେ ନିତି
ଏହି ପଦେ ଶେଷ ହୋଇଲା
ଭାତୃ ପ୍ରେମର ଗୀତି ।
