ରାକ୍ଷୀ
ରାକ୍ଷୀ
ରାକ୍ଷୀ ପୁନେଇଁ ଟା ଆସିଗଲା ହେଲେ
ଭାଇର ତ ଦେଖା ନାହିଁ
କା ହାତେ ବାନ୍ଧିବି ମୋ ରାକ୍ଷୀ ଗୋଟିକ
ବସି ଭାବୁଅଛି ମୁହିଁ ।
ସାରା ବରଷ ଟା ବିତିଯାଏ ହେଲେ
ମନରେ ନଥାଏ ଦୁଃଖ
ଏ ଦିନ ଗୋଟାକ ଆସିଗଲେ କିଆଁ
ହଜି ଯାଏ ସବୁ ସୁଖ ।
ମନେ ପଡ଼ିଯାଏ ଗୋଟି ଗୋଟି କରି
ପିଲାଦିନ କଥା ମାନ,
ପୋଖରୀ ତୁଠରୁ ଆମ୍ବ ତୋଟା ଯାଏଁ
ଝୁରି ହେଉଥାଏ ମନ ।
ଆକାଶେ ଏ ମନ ଖୋଜେ ନୀତି ଜହ୍ନ
ଜୀବନେ ଖୋଜଇ ସୁଖ
ଜହ୍ନ ଲୁଚିଯାଏ ମେଘ ଉଢାଲରେ
ଜୀବନ ରେ ଭାରେ ଦୁଃଖ ।
ଚାକିରୀ ଖଣ୍ଡିଏ ପାଇଁ ତୁ ଭାଇ ରେ
ପ୍ରବାସରେ ଯାଇ ଥିଲୁ
ଚାକିରୀ ଗୋଟାକ ପାଇଗଲା ପରେ
ଘର କଥା ଭୁଲି ଗଲୁ ।
ଦେଶ ମାତୃକାର ସେବା ପାଇଁ ଭାଇ
ଜୀବନେ ସଂକଳ୍ପ କଲୁ
ମେଲାଣି ଘେନିଣ ଭାଇ ତୁ ସେଦିନ
ଆମକୁ ଛାଡ଼ିଣ ଗଲୁ ।
କଥା ଦେଇଥିଲୁ ଭାଇ ତୁ ମୋହର
ଆସିବୁ ରାକ୍ଷୀକୁ ବୋଲି
ଗଲୁ ତୁ ବୋଲିକି ସବୁ ଭୁଲିଗଲୁ
ଉଙ୍କି ମାରେ ସ୍ମୃତି ଖାଲି ।
ମନେ ପଡିଗଲେ ସେଦିନ ମୋହର
ଆଖିରୁ ନ ସୁଖେ ଲୁହ
ତୋ ମର ଶରୀର ଘରେ ପହଞ୍ଚିଲା
ଆଣିଥିଲା ସାଥେ କୋହ ।
ସାରା ଭାରତର କେତେ ଯେ ଭଉଣୀ
ଆନନ୍ଦେ ନାଚନ୍ତି ଆଜି
ମୋ ଜୀବନୁ ସୁଖ କିଆଁ ଛଡ଼ାଇଲୁ
ଲଗାଇ ଜୀବନ ବାଜି ।
କେମିତି ବଞ୍ଚିବି ଏକା ଦୁନିଆରେ
ରୋଗିଣା ମାଆକୁ ନେଇ
ତତେ ଛାଡି ମୋର ଏହି ଦୁନିଆରେ
ଆଉ କେହି ସାହା ନାହିଁ ।
ଦୀପ ବି ଜଳୁଛି ମିଠେଇ ଆଣିଛି
ଆଣିଛି ସାଙ୍ଗରେ ରାକ୍ଷୀ
କେଉଁଠି ବାନ୍ଧିବି ବୁଝିପାରୁନାହିଁ
ଲୁହରେ ଭରୁଛି ଆଖି ।