ରାଧିକା
ରାଧିକା
ଜଗତ ଯାକରେ କିଶୋରୀ ରାଧିକା
ପ୍ରିୟତମା ପଣେ ଅଦ୍ୱିତୀୟା ଏକା ,
ନା ଶଙ୍ଖା ସିନ୍ଦୂର ଲୋଭ
ନା ପ୍ରିୟ ଅପ୍ରାପ୍ତି ର କ୍ଷୋଭ
ପ୍ରେମ ରେ ବିଶ୍ୱାସ ରଖି
ସକଳ ନିନ୍ଦା ଅପବାଦ ବିଷ
ପିଇ ଯାଏ ଢ଼ୋକି ଢ଼ୋକି ।
ଭାବ ପୀରତି ର ଆଦର୍ଶ ରାଧିକା
ପ୍ରେମରେ ଜାଳି ତ୍ୟାଗ ର ଦୀପିକା
ବିରହ ତେଲରେ ବତି ସମ ଜଳି
କଳଙ୍କ ର ଦାଗ ହୋଇ ଦେହେ ବୋଳି
ପ୍ରିୟ ସୁଖେ, ନିଜ ସୁଖ ଦେଇ ବଳି
ପ୍ରିୟ କୃଷ୍ଣ ହିତେ ସବୁକଷ୍ଟ ଯାଏ ଭୁଲି ।
ଦିବ୍ୟକାନ୍ତିମୟୀ ଶ୍ରୀରୂପା ରାଧିକା
ସୁନ୍ଦରୀ ପଣେ ଅଦ୍ୱିତୀୟା ଏକା ,
ଘନକେଶ ଛନ୍ଦେ ଭାସେ ମଲ୍ଲୀ ଗନ୍ଧ
ବଦନୁ ଭାସେ ଯା' କସ୍ତୁରୀ ର ଗନ୍ଧ
ସାନିଧ୍ୟେ ଯାର ଶୀତ ବି ଉଷୁମ
ଶୀତଳ ଚନ୍ଦନ ପରି ଲାଗେ ଗ୍ରୀଷ୍ମ ।
ନା ପାଇବାର ଲାଳସା
ନା ରାଜ ଭୋଗ ଆଶା
ନ ହରାଇବାର ନିରାଶା
ବର୍ଷ ବର୍ଷ ଅପେକ୍ଷା କରି ବି
ରାଧା ମନ କୁ ଛନ୍ଦିନି ହତାଶା ।
ଏପଟେ ରାଧା ବିନା
ପ୍ରିୟତମ କୃଷ୍ଣ ର,
ନ ବାଜେ ହୃଦୟ ବଇଁଶୀ
ନ ଭରେ ଭାବର କଳସୀ
ନ ହସେ ମନ ଯମୁନା ,
ଆଉ ମଳୟ ପବନେ ବି
ଦୋଳି ନ ଖେଳେ ଇଚ୍ଛା କଦମ୍ବ
ଅନ୍ତର କୁଞ୍ଜରେ ମରୁ ଭାବନା ।
ପଛେ ପଛେ ଅଷ୍ଟ ପାଟରାଣୀ
ଦ୍ବାରିକା ଐଶ୍ୱର୍ଯ୍ୟ ଭୋଗ ର ଛାଉଣୀ
ସବୁ ପରେ ବି
କୃଷ୍ଣର ର ରାଧିକା ପ୍ରେମ
ଜଗତ ରେ ଚିର ଶାଶ୍ଵତ
ଅମର ପ୍ରେମ କାହାଣୀ ।
ରାଧିକା ପଦ୍ମପାଦ ଦ୍ବୟ କୁ
ନିଜ ଅଧରେ ଚୁମି
ସ୍ୱ ଅଶ୍ରୁରେ ପ୍ରିୟା ପାଦ ଧୋଇ
କୃଷ୍ଣ ହରିନେଲେ ସକଳ ବିରହ ତାପ
ରାଧିକା ମନ ଆନନ୍ଦରେ ଯାଏ ଝୁମି ,
ଏଇ ସେ ପବିତ୍ର ଅଁଳା ନବମୀ
ରାଧିକା ପାଦ ଦର୍ଶନ ପାଇଁ ଯହିଁ
ଆତୁରେ, କୃଷ୍ଣ ରହିଥାନ୍ତି ଚାହିଁ ।