STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ରାଧା ରାଧା ଡାକେ ମୋହନ ବଂଶୀ

ରାଧା ରାଧା ଡାକେ ମୋହନ ବଂଶୀ

2 mins
22


ହେ ମୋହନ,ତୁମ ବଂଶୀ ସ୍ୱନ କଥା

ଉଦ୍ଧବ ଆସି ପଚାରେ

କିପରି କହିବି ଭାଷା ପାଉ ନାହିଁ

ବଂଶୀ ମୋହ ବର୍ଣ୍ଣିବାରେ

ତଥାପି କହିଛି କହୁଛି ବୁଝାଇ

ମୋହନ ବଂଶୀର ଗାଥା

ଉଦ୍ଧବ ମୁଖରୁ ମୋ ମନର କଥା

ଶୁଣ ରାଧା ହୃଦ ବ୍ୟଥା 

ଭାସି ଆସୁ ଥିଲା ବଂଶୀର ମୂର୍ଚ୍ଛନା

ସମ୍ମୋହନ ସୁରେ ସୁରେ

ରାଧା ରାଧା ନାମ ଶୁଭୁଥିଲା କର୍ଣ୍ଣେ

ତୁହାକୁ ତୁହା ସତ୍ତ୍ଵରେ

ସାତ ସୁର ତାଳ ଲୟ ସହିତରେ

ରହି ରହି ବାଜେ ବଂଶୀ

ମୋହ ହୁଏ ଆପେ ଆପେ ହୃଦୟରେ

ସେ ପରା ମୋହନ ବଂଶୀ 

ମୋହନ ବଂଶୀର ଅପୂର୍ବ ମୂର୍ଚ୍ଛନା

ବାଜି ଉଠେ ଯାହା କାନେ

ଅଙ୍ଗେ ଅଙ୍ଗେ ଶିହରଣ ଉଠେ

ପୁଲକିତ ତନ ମନେ

ବନରେ ମୟୁରୀ ଆକାଶରେ ମେଘ

ନାଚିଲେ ବଂଶୀ ସ୍ୱରରେ

ଯମୁନା ଯିବାକୁ ଗୋପ-ଗୋପାଳୁଣୀ

ବିଚାର କଲେ ହୃଦରେ 

ଯମୁନାର ଜଳ ଉଠିଲା ଉଛୁଳି

ଡାକ ଦେଲେ ପିକ ଶୁକ

କୁଞ୍ଜବନ ଚଉପାଶ ଗୁଞ୍ଜରିତ

କଦମ୍ବ ଫୁଲ ମହକ

ଏକକୁ ଆରେକ ହେଲେ ଡକା-ଡକି

ଗୋପପୁର ବ୍ରଜ ବାଳୀ

ରାଧା ତନ ମନ ହୋଇଲା ଉଛନ

ଡାକି ସଖୀ ସଙ୍ଗ ମେଳି

ଚାହିଁ ବସିଥିଲା କେଉଁ ତରୁ ଡାଳେ

ରାଧା ଖୋଜୁ ଥିବା କାହ୍ନା

ଲୁଚି ଲୁଚି ରହି ରାଧା ପଥ ଚାହିଁ

ତୋଳେ ବଂଶୀ ରେ ମୂର୍ଚ୍ଛନା

କୁଞ୍ଜ ବନେ ହୁଏ ମିଳନ ରାହାସ

ରାଧା-କୃଷ୍ଣଙ୍କର ରାସ

ଯୁଗଳ ମୂରତି ଦେଖି ଗୋପାଙ୍ଗନା

ଲାଜେ ଥାଇ ମୁଖେ ହସ

ସହସ୍ର ଗୋପିକା ନୃତ୍ୟ ଗୀତେ ରତ

କେଳିକୁଞ୍ଜ କୁଞ୍ଜ ବନେ

କୁଞ୍ଜ ବିହାରୀଙ୍କ ଜ୍ୟୋତି ଚମକରେ

ଶୋଭମୟ ମଧୁବନେ ।


ମୁରଲୀ ସ୍ଵନ ରେ ଯେବେ ଗୁଞ୍ଜରିତ

କୁଞ୍ଜବନ ରାସ ଦୋଳି

ଚିତ୍ତ ଚୋରି ହେଲା ଗୋପାଙ୍ଗନାଙ୍କର 

ପ୍ରେମ ଉଠିଲା ଉଛୁଳି

କି କୁହୁକ ଥିଲା ମୁରଲୀ ସ୍ୱନ ରେ

ଗୋପ ବାଳୀ ହେଲେ ମେଳି

ସବୁ ଭୁଲି ରାଧା ମୁରଲୀଧାରୀ ଙ୍କୁ 

ଦିବା ନିଶି ହେଲେ ଭାଳି

ଯେଉଁ ହାତେ ଧରି ମୁରଲୀ ବଜାଇ

ଜିଣି ହେଲା ଗୋପୀ ମନ

ସେ' ହାତରେ ଦିନେ ଗୋବର୍ଦ୍ଧନ ଟେକି

ରକ୍ଷା ହେଲା ଗୋପୀ ପ୍ରାଣ

ମୁରଲୀ ଧାରୀ ରୁ ଗୋବର୍ଦ୍ଧନ ଧାରୀ 

ଜାଣିଲା ଗୋପ ନଗରୀ

ମନ ମୋହି ପୁଣି ଗର୍ବ ଖର୍ବ କରି

ପ୍ରିୟ ହୋଇଲେ ସବୁରି

ଗୋପପୁର ଭୁଲି ରହିଲେ କେଉଁଠି

ଶୁଭୁନି ମୁରଲୀ ସ୍ୱନ

ପ୍ରାୟ ନୀରବତା ଖେଳେ ଗୋପ ପୁରେ

ବାହୁନେ ରାଧାର ପ୍ରାଣ

ଯମୁନା ଘାଟରେ ଅବା କୁଞ୍ଜ ବନେ

ନାହିଁ ସେ ମୁରଲୀ ଧାରୀ

ନନ୍ଦ ଉଆସରେ ନାହିଁ କୋଳାହଳ

ଗୋପପୁର ହତଶିରୀ

ମୋହନ ମୁରଲୀ ସିନା ବାଜୁନାହିଁ

ରହିଛି ସେ ପ୍ରତିଧ୍ଵନି

ବେଳେବେଳେ ମନ ହୁଏ ଆନମନା

ହୃଦୟ ହୁଅଇ ହାଣି ।


କିଛି ତ ଲୁଚାଇ ନ ଥିଲି ତୁମକୁ

ଭାବ ହେଲା ଦିନ ଠାରୁ

କାହିଁକି ରହିଛ ଦୂରେଇ ମୋ ଠାରୁ

ଭାବ ରହିଲା ଅଧାରୁ

ଲୋକ ଲଜ୍ଜ୍ୟା ଭୁଲି ତୁମ ସହ ମିଶି

ରଖି ଭାବ ଖୋଲା ଖୋଲି

ଭାବୁଛ କି କିଛି ଲୁଚାଇଛି ବୋଲି

ନ କହି ଅନ୍ତର ଖୋଲି!

ତୁମ ଭାବନାକୁ ସମ୍ମାନ ଜଣାଇ

ଉନ୍ମୁକ୍ତ ଥିଲା ମୋ ଭାବ

କିଛି ବି ଲୁକ୍କାୟିତ ନ ଥିଲା ହୃଦେ

ତୁମ ଭାବରେ ମୋ ଭାବ

ତୁମ ବଇଁଶୀ ର ସୁର ଲୟ ତାଳେ

କିଛି ବି ରହିନି ଲୁଚି

ସେଇ ସୁର ତାଳେ ତାଳେ ଥିଲା ଭାବ

ଅନ୍ତର ଭାବ କହିଛି

ଅଧା ରହିଗଲା ଭାବର ପ୍ରକାଶ

କେଉଁ ଭାବେ ଅଛ ଲୁଚି

ଏକାକୀ ଖେଳୁଛି ଲୁଚକାଳି ଖେଳ

ଏକୁଟିଆ ଲୁଚା ଲୁଚି

ଆଉ ଥରେ ମାତ୍ର ଆସ ଗୋପପୁର

ରାଧା କାହ୍ମା କୁ ଖୋଜୁଛି

ଘରୁ ବାହାରିଲେ ସେଇ କାହ୍ନା ପ୍ରଶ୍ନ  

କାହ୍ନା କେଉଁଠି ଲୁଚିଛି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract