STORYMIRROR

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ପୁତନାର ଆତ୍ମକଥା

ପୁତନାର ଆତ୍ମକଥା

1 min
37

ପୁତନାର ଆତ୍ମକଥା


ବାମନ ରୂପ ଦେଖି

ହସିଲା ଦୁଇ ଆଖି

ଆସିଲା ଭାବନା ମୋ କି ପାଇଁ? 

କୋଳରେ ତୋତେ ଧରି 

ବାତ୍ସଲ୍ୟ ସ୍ନେହ ଭରି

ଦେବି ମୋ ସ୍ତନ ମଧୁ ପିଆଇ।


ନାଆଁ ମୋ ରତ୍ନମାଳା

ବଳୀ ରାଜାର ବାଳା

ରୂପରେ ଅନିନ୍ଦ୍ୟ ମୁଁ ସୁନ୍ଦରୀ,

କୁଆଁରୀ ଛନ ଛନ

ହେଲେ ବି ମାଆ ମନ

ମନରେ କହେ ଆସ ଶ୍ରୀହରି।


ଏମନ୍ତ ଭାବୁ ଭାବୁ

ଦେଖିଲି ନେତ୍ରେ ସବୁ

ତୃତୀୟ ପାଦ ପିତା ଶିରରେ,

ପ୍ରଭୁ ମୋ ପିତୃହନ୍ତା

ସହି କି ପାରେ ସୁତା?

ପିତାଙ୍କୁ ଚାପିଦେଲୁ ମହୀରେ।


ମମତା ଭାବ ଭୁଲି

ବଧିବି ମୁଁ ଭାବିଲି

ଛାଡ଼ିବି ନାହିଁ ପିତୃହନ୍ତାକୁ,

ହେଲେ ମୁଁ ନାରୀଟିଏ

ପୁରୁଷ ହାରିଯାଏ

କେମିତି ମାରିବି ମୁଁ ପ୍ରଭୁଙ୍କୁ?


ଯୁଗ ତ ବିତିଗଲା

ଦ୍ଵାପର ଆସିଗଲା

ଲଭିଲି ପୁନର୍ଜନ୍ମ ମୁହିଁ ଯେ,

ନାମ ମୋ ବଦଳିଲା

କରମ ନୂଆ ହେଲା

ହୋଇଲି କଂସରାଜ ଧାଇ ଯେ।


ଥରେ ସେ ଡକାଇଲେ

ଆଦେଶ ମୋତେ ଦେଲେ

କହିଲେ ଯାଅ ଗୋପପୁରକୁ,

ଦେଇ ତୋ ବକ୍ଷରସ

କୃଷ୍ଣର ପ୍ରାଣ ନାଶ

ରହିବ କଥା କାଳକାଳକୁ।


ଦିନେ ମୁଁ ଚିନ୍ତିଥିଲି

ତୋତେ ଯେ ପୁଅ ବୋଲି

ଖୋଇବି ଛାତିର ମୁଁ ଅମୃତ,

ଶୁଝିବି ପିତୃଋଣ

ନାଶିବି ତୋର ପ୍ରାଣ

ପୂର୍ଣ୍ଣ ହୋଇବ ମୋର ଶପଥ।


ଲେପିଲି ସ୍ତନେ ବିଷ

ନେଇ ଯୁବତୀ ବେଶ

ପହଁଚି ମୁଁ ଯେ ଗୋପପୁରରେ,

ଗୋଟିଏ ପରେ ଗୋଟେ

ପିଲାଙ୍କୁ ଧରି ହାତେ

ମାରିଲି ସ୍ତନ ବିଷ ଦେଇରେ।


ଶେଷରେ ତୋତେ ନେଇ

କୋଳରେ ମୋ ଶୁଆଇ

ଢାଳିଲି ହୃଦୟର ମମତା,

ସ୍ତନ ମୋ କାମୁଡ଼ିଲୁ

ପ୍ରାଣକୁ ଶୋଷି ନେଲୁ

ଲିଭିଲା ଜୀବନର ସଳିତା।


ପ୍ରଭୁଙ୍କୁ କୋଳେ ନେଇ

ହୃଦୟ ରସ ଦେଇ

ଲଭିଲା ମୁକତି ଏ ରମଣୀ,

ଜାତିରେ ଅସୁରୁଣୀ

ପରମ ଭକ୍ତ ପୁଣି

ଏଇ ଯେ ପୁତନାର କାହାଣୀ।


ବି. ଦ୍ର : ପୂର୍ବ ଜନ୍ମରେ ପୁତନା ବଳୀ ରାଜାଙ୍କ କନ୍ୟା ରତ୍ନମାଳା ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract