ପୁରୁଷ କିଏ ?
ପୁରୁଷ କିଏ ?
ପୁରୁଷ ଏକ
ଅସରନ୍ତି ଲୁହ ଲୁଚେଇପାରୁଥିବା ଦୁଇ ଆଖି
ବାଧାବିଘ୍ନ କଷଣର ଆକାଶକୁ ଚିରିଚିରି
ଅବିଶ୍ରାନ୍ତେ ଅସୀମ ଦୂର ଉଡ଼ିପାରୁଥିବା ପକ୍ଷୀ
ନିଜକୁ ସାହସୀ ବୋଲି କହିବାକୁ ବାଧ୍ଯଥିବା
ଭିତର ଅସହାୟ ଯନ୍ତ୍ରଣାର ଜଣେମାତ୍ର ସାକ୍ଷୀ ।
ପୁରୁଷ ଏକ
ସର୍ବସାଧାରଣରେ ଲୁଚୁଥିବା ଏକ ନୀରିହ ମୁହଁ
କାଗଜରେ ବଡ଼ ଅକ୍ଷରରେ ଛପା ହେଉନଥିବା
ସଭାସମିତିରେ ଆଲୋଚନାରେ ନଥିବା ଏକ କୋହ
ବାହାରକୁ ନିଷ୍ଠୁର, ନିର୍ଦୟ, ରୁକ୍ଷ ଦିଶୁଥିବା ଦେହ
ସମାଜଠାରୁ ଦୂରେଇ ଯାଉଥିବା ଏକ ମୋହ ।
ପୁରୁଷ ଏକ
ନାରୀ ମନରେ ଥିବା ଅପ୍ରକାଶିତ ଉପନ୍ୟାସ
ଅପମାନର ଭୟରେ ମିଛରେ ହସିବାର ପ୍ରୟାସ
କଳଙ୍କକୁ ଆଦରି ନେଇ ଚୁପ୍ ରହୁଥିବା ମନ
ମରଣ ସହ ସନ୍ଧିକରି ବଞ୍ଚିପାରୁଥିବା ଜୀବନ
ବିଷ ପିଇପିଇ ଅମୃତକୁ ସୁରକ୍ଷା ଦେଉଥିବା ମଣିଷ ।
ପୁରୁଷ ଏକ
ସୁଖର ମୁଖା ପିନ୍ଧିପାରୁଥିବା ଜଣେ ଦକ୍ଷ କଳାକାର
ଶତ ଛୁରୀ ଆଘାତପ୍ରାପ୍ତ ରକ୍ତାକ୍ତ ଶରୀରେ ମଧ୍ଯ
ଅନ୍ୟର ଗଳାରେ ହସିହସି ପିନ୍ଧାଇପାରେ ଫୁଲହାର
ସବୁ ଭୂମିକାରେ ନିଜକୁ କରେ ଶ୍ରେଷ୍ଠ ପ୍ରତିପାଦିତ
ନାରୀ ଶକ୍ତି ହେଲେ ପୁରୁଷ ସେ ଶକ୍ତିର ମୂଳ ଆଧାର।
