ପୁନର୍ଜନ୍ମର ପୂର୍ବାଭାଷ
ପୁନର୍ଜନ୍ମର ପୂର୍ବାଭାଷ
ଅବୟବର ଚର୍ମ ବିବେକର ବୟସ
ମନର ମର୍ମ ସବୁ ଯେବେ ଗଛର ପତ୍ରସମ ଶୁଷ୍କ
ସମୟ ଇଚ୍ଛାରେ ସମୟ ପୂର୍ବରୁ
ଚେତନା ଓ ଚିନ୍ତାଧାରା ଚିତାସମ ହୋଇ ବୟସ୍କ,
ପତ୍ରଝଡ଼ା ଋତୁ ଆସେ ଜୀବନେ
ଥକିଯାଏ ଯେବେ ହୃଦୟର ଭାବନା ଓ ମସ୍ତିଷ୍କ ।
ହାରିଯାଏ ହତାଶ ଲୁହା ସାଜେ ସବୁ ଲୁହ
ଶୋଇଯାଏ ସ୍ୱପ୍ନ ସବୁ ଶେଷ ନିଦ୍ରାରେ
ଆଶା ନିଜପାଇଁ ନିଜେ ସାଜେ ଅଭିଶାପ
ଦୁଃଖ ବି ହତୋତ୍ସାହିତ ହୋଇ ମନୁ ମରେ ।
ସବୁ ତତ୍ତ୍ଵ ସରିଗଲା ପରେ, ସବୁ ଇଛା ମରିଗଲା ପରେ
ଦିଶେ ଅନ୍ତରର ନୟନକୁ ସ୍ୱଜନ୍ମେ ପୂନର୍ଜନ୍ମର ପୂର୍ବାଭାଷ ।
ସ୍ୱାଭାବିକ ଲୋଭର ମାତ୍ରା ହୁଏ କ୍ଷୀଣ
ଯାତନାର ମରୁଭୂମି ସାଜେ ଜୀବନର ସୁସବୁଜ ବଣ
ସ୍ପୃହା ମରେ, ପୋଡ଼ିଯାଏ ଆଗ୍ରହ ଏ ପ୍ରାଣର
ଶୁଖୁଥାଏ ରକ୍ତ ଧମନୀ ଶିରାରେ, ଶରୀରର ପ୍ରତିକୋଣ,
ନିଃଶ୍ୱାସର ଛାଡ଼େ ରଙ୍ଗ, ପ୍ରଶ୍ୱାସ ହୁଏ ବେରଙ୍ଗ
ସୁଖର ହସ ଭୟଭୀତେ କରେ ପଳାୟନ ଛାଡ଼ି ଆତ୍ମା ପ୍ରାଙ୍ଗଣ ।
ଯେବେ ଦୂରହୁଏ ମନରୁ ମରଣର ଭୟ
ଶେଷ ହୁଏ ଦ୍ୱନ୍ଦ, ଆଶଙ୍କା ଓ ସଂଶୟ
ସମୟ କହିଲାଣି ଆସୁଛି ଅନଳ ବୈଶାଖ
ନିଜ ପ୍ରତି ନିଜେ ହୋଇଯାଏ ସେ ନିର୍ଦୟ ।
ଅସହାୟପଣ ହନ୍ତସନ୍ତ କରେ ମନ ସମୁଦ୍ର କରେ ଗର୍ଜନ
ସ୍ପଷ୍ଟ ବିଦିତ ତା' ଆଖିରେ ସ୍ୱଜନମେ ପୁନର୍ଜନ୍ମର ପୂର୍ବାଭାଷ।
