STORYMIRROR

Banabihari Mishra

Abstract

3  

Banabihari Mishra

Abstract

ପୁନର୍ଜନ୍ମ

ପୁନର୍ଜନ୍ମ

1 min
42

ମୋ ଆକାଶରୁ ଦୂର ଦିଗବଳୟରେ

ଦିନସାରା ଯୁଦ୍ଧ କରି ଆହତ ରକ୍ତାକ୍ତ

ଅସ୍ତ ହେଇଯାଉଥିବା ମୋ ସୂର୍ଯ୍ୟଟା

ସତେ କ'ଣ ତୁମ ଆକାଶରେ

କଅଁଳା ଛୁଆଟେ ପରି

ଲାଲ ଟୁକୁଟୁକୁ ହସଟିଏ ହସି

ପୁଣି ଥରେ ମୁହଁ ଦେଖୋଉଥିବ!


ମୋ ମନର ସବୁ ଇଚ୍ଛାତକ

ମୋତେ ଯେତେବେଳେ କଲବଲ କରେ

ସଂଯମର ତୀରବିଦ୍ଧ କରି ରକ୍ତାକ୍ତ କଲାପରେ

ସତରେ କଣ ସେମାନେ ମୋଠୁ ଚାଲିଯିବେ

ଆଉ ବସା ବାନ୍ଧିନେବେ ଅସୁମାରୀ ସ୍ଵପ୍ନ ହୋଇ

ରଙ୍ଗେଇଦେବେ ଦିଗବଳୟ ସେପାରିର 

କୋଉ ଗୋଟେ ଅଜଣା ମନକୁ

ହୃଦୟକୁ ଆଉ ଆତ୍ମାକୁ!


ମୋ ଅଗଣାର ଫୁଲସବୁ

ଝାଉଁଳିଯାଇ ଶୁଖିଗଲା ପରେ

ବାସ୍ନା ହରେଇ, ରଙ୍ଗ ହରେଇ

ଦିଗବଳୟ ସେପାରିର ଅଜଣା ବଗିଚାରେ

ରଙ୍ଗୀନ ହେଇ ବାସ ଚହଟେଇ

କଢ଼ ହେଇ ପୁଣି ଫୁଲ ହେବେ

ସତରେ କ'ଣ ଖିଲିଖିଲି ହସିବେ!


ମୋ ଆଖିପତା ବୁଜିହୋଇଗଲେ

ମୃତ୍ୟୁ ମୋତେ କୋଳେଇ ନେଲାପରେ

ଦିଗବଳୟ ସେପାରିର ଏନ୍ତୁଡିଶାଳରେ

ସତରେ କ'ଣ ପୁଣି କୁଆଁ କୁଆଁ କାନ୍ଦ

ଶୁଭିବ, ପୁଣି ହେବ ଜୀବନର 

ଶାଶ୍ଵତ ଅୟମାରମ୍ଭ, ପୁଣି ପୁନର୍ଜନ୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract