ପ୍ରେମଟା ଏଯାଏ ପାକଳ ହେଇନି
ପ୍ରେମଟା ଏଯାଏ ପାକଳ ହେଇନି
ତୁମ କବରୀର ଚମ୍ପକ ମହକ
ଏବେ ବି ତ କମି ଯାଇନି
ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦ
ପାଗଳ କରିବା ଛାଡୁନି
ନୂଆ ବାହାବେଳ ଫିସ୍ ଫିସ୍ କଥା
ଏବେ ଆଉ କାଇଁ ଶୁଣୁନି
ତଥାପି ତୁମର ପଦେ ଶୁଣିବାର
ଅଭ୍ୟାସଟା ଛାଡିପାରୁନି।।
ଅଧରରୁ ତୁମ ରକ୍ତିମ ଛଟା
ଏବେ ସୁଦ୍ଧା କମି ଯାଇନି
ଦୁଷ୍ଟାମୀ ଭରା ଆଖିରୁ ତୁମର
ଚପଳତା ଜମା ସରିନି
ଚାଲିରେ ତୁମର ସେ ପୁରୁଣା ଛନ୍ଦ
ଆଉ କାଇଁ ଖୋଜି ପାଉନି
ତଥାପି କାହିଁକି ତୁମେ ଚାଲୁଥିଲେ
ନ ଚାହିଁକି ରହି ପାରୁନି।।
ଏବେ ବୟସର ଅପରାହ୍ନ ବେଳେ
ତୁମ ଛଡା କିଛି ଭାବୁନି
ଚପଳ ଛନ୍ଦେ ଗୋ ତୁମ ବ୍ୟତିରେକେ
ବଞ୍ଚିବାଟା ଶିଖି ପାରୁନି
ଜାଣୁଅଛି ଆମେ ବୟସ୍କ ହେଲେଣି
ତଥାପି ପ୍ରେମଟା କମିନି
ଏବେ ମୁଁ ଭାବୁଛି ପ୍ରେମଟା ଆମର
ଏ ଯାଏ ପାକଳ ହେଇନି।।