STORYMIRROR

Banabihari Mishra

Abstract

4  

Banabihari Mishra

Abstract

ଅବ୍ୟକ୍ତ ବ୍ୟଥା

ଅବ୍ୟକ୍ତ ବ୍ୟଥା

1 min
405

ଅନେକ ସମୟ ଆଗରୁ ଭୁଲିଛି

ବଞ୍ଚିବାର ସୂକ୍ଷ୍ମ କଳା

ବଞ୍ଚିବା ପାଇଁକି ରାହା ଖୋଜୁ ଖୋଜୁ

ଅନେକ ସମୟ ଗଲା ।


ହଜେଇ ଦେଇଛି ପୁରୁଣା ଠିକଣା

କେଉଁ ଅଜଣା ବାଟରେ

କୋଉଠି ଭୁଲିଲି କେମିତି ଭୁଲିଲି

ସେ ବାଟକୁ ଆଜି ଝୁରେ ।


ପଛକୁ ପଛକୁ ଯେତେ ବି ଚାହିଁଲେ

ସ୍ମୃତି ଦିଶେ ମହଳଣ

ମନର ମୁକୁରେ ଅନ୍ଧାରର ଛବି

ହୁଅଇ ପ୍ରତିଫଳନ।


ଜୀବନ ଜିଇବା ପାଇଁ ଲାଗେ ହେଲେ

ନିତି ବଞ୍ଚେ ନିତି ମରେ

ଚାହେଁ ବଞ୍ଚିବାକୁ ଅବା ମରିବାକୁ

ଯାହା ହେବ ହେଉ ଥରେ।


ମନେପଡେ ମୁହିଁ ସତେ ଜିଇଥିଲି

ସେଇ ମୋର ପିଲାଦିନେ

ନଥିଲା ସେବେଳେ ଭୟ କି ଆଶଙ୍କା

ଗର୍ବ ଅହଂକାର ମନେ।


କାଗଜର ଡଙ୍ଗା ଚୋରି କରମଙ୍ଗା

ପୋଖରୀ ବୁଡା ପହଁରା

ବଣର ବଇଁଚ କୋଳି ତୋଳା ପୁଣି

ନମାନିକି ଖରାତରା।


ଭୋକ ନଥିଲା କି ଶୋଷ ବି ନଥିଲା

ମୁଣ୍ଡରେ ନଥିଲା ବୋଝ

ଯାତରା ଦେଖାକୁ ଯାହା ମିଳେ ତାକୁ

ପିନ୍ଧି ହେଉଥିଲୁ ସଜ।


ଚୁଟି ଟଣାଟଣି ଚିମୁଟା ଚାପୁଡା

ଅପଡ ଝଗଡା କଳି

ସକାଳ କଳିଟା ବେଳବୁଡ ବେଳେ

ମନୁ ହୋଇଯାଏ ଭୁଲି।


ଜେଜେଙ୍କର କଳି ଆଈ ଚାଟଶାଳି

ବସି ଅଜାଙ୍କ କାନ୍ଧରେ

ମେଲଣକୁ ଯିବା ବେଲୁନ କିଣିବା

ବୁଲିବା ବଡ ମଜାରେ।


ଭାରି ମନରେ ମୁଁ ଖୋଜେ ସେ ଦିନକୁ

ଅତୀତ ଆସେନା ଫେରି

ହାତମୁଠାରୁ ସେ ବାଲିପରି ଖସେ

ରଖି ହୁଏନାହିଁ ଧରି।


ସମୟ ଲହରୀ ଅମାନିଆ ଭାରି

କେବେ ମାନେନାହିଁ କଥା

ପାଦଚିହ୍ନ ସବୁ ଧୋଇବା ପାଇଁକି

କୂଳେ ପିଟୁଥାଏ ମଥା।


ସମୟଟା ବଡ ଧୋକାଦିଆ ବନ୍ଧୁ

ଦିଏନାହିଁ କେବେ କଥା

ଫେରିବ ଫେରିବ ଲାଗେ ସବୁବେଳେ

ଫେରେନାହିଁ ଘୁରେ ମଥା।


Rate this content
Log in

Similar oriya poem from Abstract