ପେଚାର ଉକ୍ତି
ପେଚାର ଉକ୍ତି
ଘର ଅଗଣାର ଆମ୍ବ ଗଛଟାର
ଗହଳ ପତର ଭିତରେ ଲୁଚି
ରାତି ଅଧଟାରେ ପେଚାଟିଏ ରାବି
ସତେବା ଚାହୁଁଚି କହିବ କିଛି।।
ଗଛ କୋରଡରେ ଲୁଚି ବସିଥାଏ
ଆଲୁଅକୁ ଡରି ଦିନବେଳାରେ
କଅଣ ଖାଉଛି କଅଣ ପିଉଛି
କେମିତି ରହୁଛି ଭାବିଲ ଥରେ।।
ଶୀତ କାକରରେ ବରଷା ରାତିରେ
ସାଥୀଟିଏ ପାଇଁ ଡାକେ ବିକଳେ
ତମେ କୁହ ମୋର ଡାକଟା ଅଶୁଭ
ଅଘଟଣ ଘଟେ ପେଚା ରାବିଲେ।।
ଯାହା ଘଟିବାର କଥା ଘଟିଯାଏ
ସେକଥା ଲେଖିଛି ଆଗରୁ ବିହି
ଏତେବଡ କିଆଁ ଅନ୍ୟାୟ କରୁଛ
ଚଢେଇଟା ବଡ ଅଶୁଭ କହି।।
ସାମାନ୍ୟ ଚଢେଇ ହାତ ନାହିଁ ମୋର
ଦିନ ଆଲୁଅରେ ପାରେନି ଦେଖି
ଛୋଟ ଛୋଟ ଜୀବ ଖାଇ ମୁହିଁ ବଞ୍
ଚେ
କେଡେ ନିରୀହ ମୋ ଦୁଇଟି ଆଖି।।
ପ୍ରକୃତିର ଗୋଟେ ଛୋଟିଆ ଜୀବ ମୁଁ
କାହାର ବା କିସ କରିବି କ୍ଷତି
ଅନ୍ଧବିଶ୍ୱାସ ଏ କେମିତି ମାନୁଛ
ତୁମେ ପରା ଶ୍ରେଷ୍ଠ ମଣିଷ ଜାତି।।
ମୋର ବଂଶ ଲୋପ ହେବାକୁ ବସିଛି
ସେଥିପାଇଁ ଦାୟୀ ତୁମେ ମଣିଷ
ରକ୍ଷକ ନହୋଇ ଭକ୍ଷକ ସାଜୁଛ
ନଷ୍ଟ କର କାହିଁ ଏ ପରିବେଶ।।
ଭଗବାନ ପରା ସବୁ ଶକ୍ତି ଦେଇ
ବଳୀୟାନ କଲେ ତୁମ ଜାତିକୁ
ଦାୟିତ୍ୱ ବି ଦେଲେ ନିଜ ଶକ୍ତି ବଳେ
ରଖିବ ପାଳିକି ତାଙ୍କ ସୃଷ୍ଟିକୁ।।
ତୁମେ ଯଦି ନିଜ ଦାୟିତ୍ୱ ଭୁଲିବ
ପରିବେଶ ପ୍ରତି ନଦେବ ଧ୍ୟାନ
ତୁମେ କି ଭାବୁଛ ଏତେବଡ ଦୋଷ
କ୍ଷମା କରିଦେବେ ଶ୍ରୀ ନାରାୟଣ।।