STORYMIRROR

Banabihari Mishra

Others

3  

Banabihari Mishra

Others

ସ୍ମୃତି ଆଜି ମନେପଡେ

ସ୍ମୃତି ଆଜି ମନେପଡେ

1 min
199

ଆଜି ତୁମେ ଖାଉଥିବ ପଞ୍ଚତାରକାରେ

ଆଉ ରହୁଥିବ କେଉଁ ଆଲିଶାନ ଘରେ

କିନ୍ତୁ ଦୂର ଅତୀତକୁ ଫେରିଯାଅ ଥରେ

ପିଲାଦିନ ସ୍ମୃତି ପଡେ ନାହିଁ କି ମନରେ?


ଶୋଉଥିଲେ ବାପା ମାଆ ଭାଇଙ୍କ ସାଙ୍ଗରେ

ଘୋଡି ହେଉଥିଲେ କନ୍ଥା ପ୍ରଚଣ୍ଡ ଶୀତରେ

ମାଆର କୋମଳ ସ୍ପର୍ଶ ଥିଲା ତ ସେଥିରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ହାତପଙ୍ଖା ଘୁରୁଥିଲା ବାପାଙ୍କ ହାତରେ

ମାଆ କାନି ବାଆ କେଡେ ସୁଖଦ ସତରେ

କାହିଁ ସେ ସୁଖ ବାତାନୁକୂଳନ ଯନ୍ତ୍ରରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ମାଆର ଖରଡା ଶାଗ ପଖାଳ ସାଙ୍ଗରେ

ବଡିଚୁରା ରାଇ ଅବା ଶୁଖୁଆ ପୋଡାରେ

ଯେ ଶାନ୍ତି ଥିଲା ସେ ଶାନ୍ତି ଅଛି କି ପିଜାରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ଲଢୁଥିଲେ ଗଡୁଥିଲେ ରାଗିକି ଧୂଳିରେ

ମାଆ ଝାଡି ଦେଉଥିଲା ପଣତ କାନିରେ

ସେ ସ୍ପର୍ଶ ମଧୁର ସତେ ମିଳେ କେଉଁଥିରେ?

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ଚାହାଳୀ ଫେରନ୍ତା ବେଳେ ଭିଜିକି ବର୍ଷାରେ

ବହିଖାତା ଡଙ୍ଗା ହୋଇ ଭାସନ୍ତି ପାଣିରେ

ଥଣ୍ଡା ଜର ହୁଏ ଯେବେ ମାଆ ସେବା କରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ଦୁଷ୍ଟ ହେଲେ ବାପା କାଳେ ମାରିବେ ରାଗରେ

ସଅଳ ଶୁଆଇ ଦିଏ ପାଠ ପଢା ପରେ

ଶୋଇଛି ବୋଲି ବାପାଙ୍କୁ କହେ ମା ମିଛରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ମାଡକଳି ହେଲେ କେବେ ଭାଇଭଉଣୀରେ

ବୁଝାଇ ଦିଏ ସଭିଙ୍କୁ କେମିତି ବାଗରେ

ଭୁଲିଯାଉ ଆମେ ରାଗ ତା ସ୍ନେହ କଥାରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ସେତେବେଳେ ଆମେ ରହୁଥିଲେ ଗୋଟେ ଘରେ

ସମସ୍ୟା ଥିଲା ତଥାପି ଥିଲେ ଆନନ୍ଦରେ

ଦୁଃଖ ବେଳେ ସୁଖ ଥିଲା 'ଆହା' ପଦକରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ଆଜି ଆମ ରୋଜଗାର ଛ' ସାତ ଅଙ୍କରେ

ହେଲେ ଆଜି ଚାରଣୀଟେ ପାଇଁ ମନ ଝୁରେ

ଯାହା ମାଆ ଦିଏ ସ୍ନେହେ ଦୋଳ ଯାତରାରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ସେ ଚାରଣୀ ଗୁଡିଆକୁ ଦେଇ ଆଗ୍ରହରେ

ବରା ପିଆଜି ମିଠେଇ ଖାଉ ଆନନ୍ଦରେ

ସେଇଥିରେ ପେଟ ପୁରେ ମନଟା ବି ପୁରେ

ସେଦିନର ସ୍ମୃତି ପଡେ ନାହିଁ କି ମନରେ?


ହଜିଗଲାଣି ସେଦିନ ଅତୀତ ଗର୍ଭରେ

ଜୀଇଁଛୁ କେବଳ ବଞ୍ଚିବାର ବାହାନାରେ

ସେଦିନର ସୁଖ ଆଜି ଆମଠୁ ଦୂରରେ

ହେଲେ ସେ ସ୍ମୃତି ଟିକକ ମନ ଆଜି ଝୁରେ।।


Rate this content
Log in