ପୁନରାବୃତ୍ତି
ପୁନରାବୃତ୍ତି
ମସିହା ତାରିଖ ସିନା ବଦଳିଛି
ସାଲ ଶକାବ୍ଦ ବଢି ଚଢି ଚାଲିଛି
ବ୍ୟକ୍ତିଚିତ୍ର ଓ ଚରିତ୍ର ସବୁ ଅବିକଳ
ସେବେ ବି ଥିଲେ ମାଳମାଳ
ଏବେ ବି ଅଛନ୍ତି ଜଳଜଳ ।
ଇତିହାସ ଦୋହରାଏ କିଛି
ବଛା ବଛା ଘଟଣା
ପରିବର୍ତ୍ତିତ ପରିସ୍ଥିତିଚକ୍ର ତଳେ
ପୁନରାବୃତ୍ତି ଅବତାରଣା ଅବଧାରଣା ।
ଅତୀତ ସିନା ମୁଁହପୋତି ଶୋଇଛି
ମାରି ଗୁମାନ ଅଭିମାନ
କାଳଗର୍ଭରେ କିନ୍ତୁ ସାଇତି ରଖିଛି
ଇତିହାସ ସରଣୀ ସୋପାନ
ଖନନ ଭତ୍ଖନନ କଲେ ଅଧୁନା
ସବୁ ଢଳଢଳ ପୁରୁଣା ଦିନ ।
ଗୃହଭେଦୀ ବିଭିଷଣ ସିନା
ତ୍ରେତୟାରେ ଥିଲେ ଜଣେ
ଆଜି ବି ଭାଇ କୁ ହରେଇ ବାରେ
ଭାତୃଦ୍ରୋହୀ ମିଳିଯିବେ ପଣେ କାହାଣେ ।
ସମରକ୍ଷେତ୍ର କୁରୁକ୍ଷେତ୍ର ଥିଲା ଦ୍ଵାପରରେ
ଆଜି ବି ଅଛନ୍ତି
ଘରେ ଗ୍ରାମେ ନଗରେ ସହରେ
ଭାଇ ଭାଇ ଶତ୍ରୁ ସାଜି ଲଢୁଥିଲେ
ଚକ୍ରବ୍ୟୁହ ରଚୁଥିଲେ
ଜ୍ଞାତି କୁଟୁମ୍ବ ବଧ କରୁଥିଲେ
ରକ୍ତରେ ହୋଲି ଖେଳୁଥିଲେ
ଆଜି ବି ଠିକ୍ ସେହିଭଳି
ବ୍ୟତିକ୍ରମ ବଦଳରେ ଖାଲି
ପୁନରାବୃତ୍ତିର ଅଳି ଅର୍ଦ୍ଦଳି ।
ଖାଲି ବଦଳିଛି ଅସ୍ତ୍ରଶସ୍ତ୍ର ଧାରଣ
ହାତରେ ଥିଲା ସେବେ
ଖଣ୍ଡା ଗଦା ଧନୁତୀର ବାଣ
ଆଜି ଅଛି ତୁଣ୍ଡ କମାଣ
ଅହଃର୍ନିଶ କରୁଛି ଲହୁ ଲୁହାଣ ।
ରକ୍ତ ଝରୁଥିଲା ଶରୀରରୁ ସେ ବେଳେ
ଏବେ ଅନ୍ତରୁ ଆତ୍ମାରୁ ଝରୁଛି
ଲୁହ-ଲହୁର ଯନ୍ତ୍ରଣାଫେଣ୍ଟା
ଭସ୍ ଭସ୍ ଉସ୍ମ ପ୍ରସ୍ରବଣ
ତେଲ ଲୁଣର ଯୁଦ୍ଧ ଲଢୁଛି ନିତି
କୁରୁକ୍ଷେତ୍ର ସମରାଙ୍ଗଣ ।
