ପୁନିଆ ବନ୍ଧ
ପୁନିଆ ବନ୍ଧ
ମା ପିତାବଳୀ ଚରଣ ଧୋଇ
କେଡ଼େ ସରାଗରେ ରହିଛି ଚାହିଁ
ସ୍ନାନସାରି ସର୍ବେ ଫେରିବେ,
ମୋହର ହିଡରୁ ମନର ନୀଡରୁ
ଭକତି ବିହଙ୍ଗ ଉଡ଼େଇ ଦେବେ ।
ତୁଠ ନୁହେଁ ଖାଲି ସ୍ନାହାନ ସ୍ଥାନ
କେତେ ଯେ ଏଇଠି ମାନ ଅରମାନ
ଦୁଃଖ ସୁଖ ଲାଗି ରହିଛି,
ପାଠରେ ମୋ ଭାଇ ଜଗତ ଜିଣାଇ
ସର୍କାରୀ ନୌକରି ପାଇଯାଇଛି ।
ସୁକୁମାରୀ ମାଆ ଭ’ଲ କଲା
ମର୍ଦ୍ଦ ବୋଲି ଆଣ୍ଟେ ଧରେ ପିଆଲା
ଚଳେଇ ଦେଲା ସମାର୍ଜନୀ,
ସପତ ଜୀବନ ମଦ ଧୂମପାନ
ଯଦୁ ନନାର ମନେ ପଡିବନି ।
ଏ ତୁଠେ ମରଦେ କରନ୍ତି ସ୍ନାନ
ଊଈ ହୁଙ୍କା ମାଟି ମୁଣ୍ଡେ ବୋଳିଣ
ସ୍ନାନ ଶେଷେ ଜଳତର୍ପଣ
ହେ ସୂରୁଜ ଦେବ ପାପ ମୋ ହରିବ
କରିବ ଜଗତଜନେ କଲ୍ୟାଣ ।
ମରୁଡ଼ି ମାରିଲା ଗତ ବରଷ
ଜାଣ ଇନ୍ଦ୍ର ରାଜା! ଚାଷରେ ବାସ
ବେଳ ଦେଖି ବର୍ଷା କରିବ
ଏ ପୋଖରି ପାଣି ଗୋଟିଏ ମଡ଼ାଣି
ସେଥିରେ କି ହେବ, ସହାୟ ହେବ ।
ସତରେ କି ଦିନ ଥିଲାରେ ଭାଇ
ଏ କୋଣୁ ସେ କଣ ପହଁରିଯାଇ
ଚିତ୍ତିପହଁରା ଯୋଗେ ଫେରୁ,
ମଝିବନ୍ଧ ପଙ୍କେ ଖୋଜି ଖୋଜି ରଙ୍କେ
ଫଳି ମାଛ ଟାକୁ ପକେଟେ ଧରୁ ।
ଅମୁହାଁ ତୁଠଟା ଥାଏ ଦୂରେଇ
ପ୍ରତି ଡୁବ ସଙ୍ଗେ ଲୁହ ପୋଛଇ
ମଲା ଗଲା ବୋଲି କହନ୍ତି,
କାଦୁଅ ଦଳରେ ଡୁବୁକି ଛଳରେ
ବିଚ୍ଛେଦ ବେଦନା ପୋତି ଦିଅନ୍ତି ।
ସବୁ ଦେଖେ ଶୁଣେ ଦରଦ ସହେ
ଅଗ୍ନି କୋଣଟାକୁ ସାଇତିଥାଏ
ଜଳଚର ପଶୁ ବିହଙ୍ଗେ,
ମା ହେବେ ସଜ ସଜ ସରସିଜ
ନଚାଉଥାଏ ମୋ ନୀଳ ତରଙ୍ଗେ ।
