STORYMIRROR

Bibhutibhusan Majhi

Abstract Classics Others

4  

Bibhutibhusan Majhi

Abstract Classics Others

ପୁନିଆ ବନ୍ଧ

ପୁନିଆ ବନ୍ଧ

1 min
344

ମା ପିତାବଳୀ ଚରଣ ଧୋଇ

କେଡ଼େ ସରାଗରେ ରହିଛି ଚାହିଁ

ସ୍ନାନସାରି ସର୍ବେ ଫେରିବେ,

ମୋହର ହିଡରୁ ମନର ନୀଡରୁ

ଭକତି ବିହଙ୍ଗ ଉଡ଼େଇ ଦେବେ ।

 

ତୁଠ ନୁହେଁ ଖାଲି ସ୍ନାହାନ ସ୍ଥାନ

କେତେ ଯେ ଏଇଠି ମାନ ଅରମାନ

ଦୁଃଖ ସୁଖ ଲାଗି ରହିଛି,

ପାଠରେ ମୋ ଭାଇ ଜଗତ ଜିଣାଇ

ସର୍କାରୀ ନୌକରି ପାଇଯାଇଛି ।

 

ସୁକୁମାରୀ ମାଆ ଭ’ଲ କଲା

ମର୍ଦ୍ଦ ବୋଲି ଆଣ୍ଟେ ଧରେ ପିଆଲା

ଚଳେଇ ଦେଲା ସମାର୍ଜନୀ,

ସପତ ଜୀବନ ମଦ ଧୂମପାନ

ଯଦୁ ନନାର ମନେ ପଡିବନି ।

 

ଏ ତୁଠେ ମରଦେ କରନ୍ତି ସ୍ନାନ

ଊଈ ହୁଙ୍କା ମାଟି ମୁଣ୍ଡେ ବୋଳିଣ

ସ୍ନାନ ଶେଷେ ଜଳତର୍ପଣ

ହେ ସୂରୁଜ ଦେବ ପାପ ମୋ ହରିବ

କରିବ ଜଗତଜନେ କଲ୍ୟାଣ ।


ମରୁଡ଼ି ମାରିଲା ଗତ ବରଷ

ଜାଣ ଇନ୍ଦ୍ର ରାଜା! ଚାଷରେ ବାସ

ବେଳ ଦେଖି ବର୍ଷା କରିବ

ଏ ପୋଖରି ପାଣି ଗୋଟିଏ ମଡ଼ାଣି

ସେଥିରେ କି ହେବ, ସହାୟ ହେବ ।

 

ସତରେ କି ଦିନ ଥିଲାରେ ଭାଇ

ଏ କୋଣୁ ସେ କଣ ପହଁରିଯାଇ

ଚିତ୍ତିପହଁରା ଯୋଗେ ଫେରୁ,

ମଝିବନ୍ଧ ପଙ୍କେ ଖୋଜି ଖୋଜି ରଙ୍କେ

ଫଳି ମାଛ ଟାକୁ ପକେଟେ ଧରୁ ।

 

ଅମୁହାଁ ତୁଠଟା ଥାଏ ଦୂରେଇ

ପ୍ରତି ଡୁବ ସଙ୍ଗେ ଲୁହ ପୋଛଇ

ମଲା ଗଲା ବୋଲି କହନ୍ତି,

କାଦୁଅ ଦଳରେ ଡୁବୁକି ଛଳରେ

ବିଚ୍ଛେଦ ବେଦନା ପୋତି ଦିଅନ୍ତି ।

 

ସବୁ ଦେଖେ ଶୁଣେ ଦରଦ ସହେ

ଅଗ୍ନି କୋଣଟାକୁ ସାଇତିଥାଏ

ଜଳଚର ପଶୁ ବିହଙ୍ଗେ,

ମା ହେବେ ସଜ ସଜ ସରସିଜ

ନଚାଉଥାଏ ମୋ ନୀଳ ତରଙ୍ଗେ ।


Rate this content
Log in

Similar oriya poem from Abstract