ପତ୍ରଝଡା
ପତ୍ରଝଡା
ବଦଳାଋତୁରେ କବିତା ଗୁଡ଼ିକ
ନିଃଶବ୍ଦ ହେଲେଣି ପ୍ରିୟେ
ଜମୁନି ଜମାରୁ ଆସରେ ବାସର
ନିରାଶେ ବିଦାୟ ନିଏ ।
ଆୟୁଷ ତମାମ ମୋ' ଗୀତି ଆବୃତି
ତୁମ ଓଠେ ହେଉ ହେଉ
ଛାତିବାଳର ଏ' କିଆରୀରେ ତାହା
ଖେଳାଇ ପାରନ୍ତା ଢେଉ ।
ସୋରିଷ ଫୁଲର ମହକ ସାଥିରେ
ଶିହରାଇ ତୀଖା ସ୍ବାଦେ
ଲେଖିବାର ଥିଲା ଦୁଗ୍ଧଫେଣ ସମ
ଗାଇ ହେବା ଭଳି ନାଦେ ।
ଅଙ୍ଗେ ଅଙ୍ଗେ ତୁମ ସାନ୍ନିଧ୍ୟେ ସୌନ୍ଦର୍ଯ୍ୟ
ଦେଖି ଆସିଥିଲି ଯାହା
ଅଳଙ୍କାର ଆଉ ଉପମା ଭିତରେ
ଲେଖିବାର ଥିଲା ତାହା ।
ନିବିଡ଼ ଆଶ୍ଳେଷେ ଆଙ୍କିବାର ଥିଲା
ବାହୁବନ୍ଧନର ଚିହ୍ନ
ଜଙ୍ଘ ଝରଣାରେ ସନ୍ତରି ଖେଳନ୍ତା
ଚପଳା ଦଣ୍ଡକ ମୀନ ।
ଶବ୍ଦ ଚାତୁରୀରେ ଧମନୀ ପ୍ରବାହେ
ଭରିଥିଲେ ଟିକେ ଜ୍ବାଳା
ତରଳିବା ପରେ ବୁଝିଥା'ନ୍ତ ବୋଧେ
ଆସକ୍ତିର ମଧୁଶାଳା ।
ନିଃଶକ୍ତ ହେଲାଣି ଶବ୍ଦର ବନ୍ଧନ
ଲାଳିତ୍ୟ ସନ୍ଧାନେ ଘୂରି
ସଶକ୍ତ ଲାଗୁଛି ବାହାର ସମାଜେ
ଛଳପ୍ରତାରଣା ଛୁରୀ ।
ଡର ଲାଗିଲାଣି ମଧୁବନେ ଏବେ
ଥୋଇବାକୁ ଧୀରପାଦ
ଶୁଖିଲା ପତ୍ରରୁ ଶୁଭୁଅଛି ଶୁଣ
ଚାଲିଲେ କର୍କଶ ନାଦ ।
ଶୁଣାଇ ପାରୁନି ସେ' ରସେ ରଚିତ
ଆଗଭଳି ଦୁଇଧାଡ଼ି
ପତ୍ରଝଡା ଦେଖି ଡର ଲାଗେଏବେ
ଯାଉଛି ଆସର ଛାଡ଼ି ।

