ପତର ସୌରା ଗୀତ
ପତର ସୌରା ଗୀତ
ପତର ସୌରା ଗୀତ
ଆଦ୍ୟରେ ବନ୍ଦଇ ଗଣ ଦେବତା
ଦ୍ୱିତୀୟେ ମାଆ ବାଉତି
ଦୟା ରଖିଥିବ ପଦ ଯୋଡୁଥିବ
ମୁହିଁ ହୀନ ମୂଢ ମତି। (ମଙ୍ଗଳାଚରଣ)
ପୁ: ଜାତିରେ ପତର ସୌରା
କାମ ମୋ କୁଲି ଡଗରା
କାହୁଁ ଆସିଲା କରୋନା
ବିଦେଶ ରାଇଜେ ବନ୍ଦୀ ଭରଣା
ଘରଠାରେ ମୋର ରମଣୀ ବାନା ।
ଦ୍ୱାର ଖୋଲ ବେଗେ ଯିବି ଭିତର
ହେ ପରାଣ ସହୀ
ସ୍ତ୍ରୀ: କିଏ ସେ ଡାକୁଛ ରାତି ଅଧରେ
ପ୍ରାଣପତି ମୋର ନାହାନ୍ତି ଘରେ
ମୁହିଁ ତ ସହଜେ ଯୁବତୀ ନାରୀ
କିପରି ଦୁଆର ଖୋଲିବି ଧରି
ସକାଳେ ଗାଆଁରେ ପଡିବ ହୁରି ।
ପରିଚୟ ଯଥା ପ୍ରମାଣ ଦେବ
ନତୁବା ମୋହର ଦୋଷ ନ ଦେବ
ହୋ ନାଗର ବର।
ପୁ: ଧାରା ଶିରାବଣ ରାତିରେ ଥରେ
ବିଜୁଳି ମାରିଲା ଭୀଷଣ ଖରେ।
କୁଣ୍ଢେଇ ଧରିଲ ମତେ ପ୍ରଖରେ
ଚୁମ୍ବନଟିଏ ମୁଁ ଆଙ୍କେ ଗଣ୍ଡରେ।
ପ୍ରମାଣ ମୋହର ଏବେ ପାଇଲ
ଡେରି କରନାହିଁ ଦୁଆର ଖୋଲ
ଆଉ ସନ୍ଦେହ ନକର ହେ ପ୍ରାଣସହୀ ।
ସ୍ତ୍ରୀ: ଏତିକି ପ୍ରମାଣ ଯଥେଷ୍ଟ ନୁହେଁ
ଗାଆଁ ମଝିରେ ମୁଁ ଏକଲା ରହେ ।
ପର ପୁରୁଷକୁ ଖୋଲିଲେ ଦ୍ୱାର
ସକାଳେ ନିଲାମ ଇଜ୍ଜତ ମୋର ।
ମୋହର ଶଂସୟ ଫେଡ ସତ୍ୱର
କିପରି ଜାଣିବି ପତି ମୋହର ।
ବିନା ପରିଚୟେ ନ ଖୋଲେ ଦ୍ୱାର
ହୋ ବିଦେଶୀ ଜନ ।
ପୁ: ଆହୁରି ପ୍ରମାଣ ଦେଉଛି ଶୁଣ
ଜାନୁରେ ତୁମର ତିଳର ଚିହ୍ନ।
ତହିଁ ଲାଗିଥାଏ ମୋ ମନ ମୀନ
କରେ ସଦା ତା'ର ଗୁଣ ବଖାଣ।
କୁକୁର ଗୋଡାଏ ପଛେ ଭୁକିଣ
ଦରଜା ଖୋଲ ହେ ନାରୀ ରତନ
ମୁହିଁ ତୁମର ସ୍ନେହର ଧନ ।
ସ୍ତ୍ରୀ: ମାନିଲି ତୁମେ ମୋ ପରାଣ ନାଥ
କରୋନା ସମୟେ ବିଦେଶାଗତ।
ଶହେ ଚାରିକୁ ଜଣାଅ ତୁରିତ
ସନ୍ଦିଗ୍ଧରେ ଚଉଦ ଦିନ ଗତ ।
ହେଲେ ମୁଁ ହୋଇବି ଉଷତ
ରଖ ସାମାଜିକ ଦୂରତ୍ୱ ନାଥ ।
ଦୋଷ ନଧର ମିତ
ଉଭୟ: ଶୁଣ ସୁଜ୍ଞ ଜନେ କରୋନା କଥା
ବିଦେଶରୁ କେହି ଆସିଲେ ଯଥା ।
ସନ୍ଦିଗ୍ଧ ନିୟମ କରି ପାଳନ
ପରୀକ୍ଷା କରାଇ ନିଅ ଯତନ ।
ହୋଇବ ସନ୍ଦେହ ମନରୁ ଦୂର
ହସି ଉଠିବ ସୁଖି ପରିବାର ।
ଆମ ଦୋଷ ଗୁଣ ନ ଧର
ହୋ ସାଧୁଜନେ।
