ପ୍ରତ୍ଯାଖ୍ଯାନ
ପ୍ରତ୍ଯାଖ୍ଯାନ
ସମାଜର ପ୍ରତ୍ଯାଖ୍ଯାନକୁ ନାହିଁ ତିଳେ ଡର
ଅଟଇ ମୋର ଆବାଲ୍ଯରୁ ଚିର ସହଚର ।
କାହାର ଉପେକ୍ଷାରେ ପରାଣ ନୁହଁଇ ବ୍ଯଥିତ
ନିତ୍ୟ ନୂତନ ଚିନ୍ତନେ ହୁଅଇ ଆବିଷ୍ଟ ।
ପ୍ରତ୍ଯହ ଉଷାରେ ଉଦିତ ହୁଏ ନବରବି
ମନେ ମୋର ଆଙ୍କେ ନୂଆ ନୂଆ ଛବି ।
ଦିଗନ୍ତ ବିସ୍ତାରିତ ହୁଏ ସୂକ୍ଷ୍ମ ଅନ୍ତର୍ଦୃଷ୍ଟି
ନବ ଚେତନା ପ୍ରତି କ୍ଷଣେ କରୁଥାଏ ସୃଷ୍ଟି ।
ଅକ୍ଷୟ ଅମ୍ଳାନ ମୋର ଅସ୍ତିତ୍ବ ଅସ୍ମିତା
ଅବ୍ୟୟ ଭାସ୍ବର ଜୀବନ ଦୀପର ସଳିତା ।
ଅଟଳ ଅଦମ୍ୟ ସଂଗ୍ରାମୀ ପ୍ରାଣର ଉଚ୍ଛ୍ବାସ
ଅଲିଭା ଅସରା ଅନ୍ତର୍ଦୀପର ପ୍ରକାଶ ।
ତିରସ୍କାର ମୋର ଲାଗି ଶ୍ରେଷ୍ଠ ଉପହାର
ଯୋଡ଼ ହସ୍ତେ ସ୍ମିତ ହସି କରଇ ସ୍ବୀକାର ।