ପ୍ରତିଶୋଧ
ପ୍ରତିଶୋଧ


ମନରୁ ଯାଏନି କିଛି ହୃଦୟର କଥା
ମନତଳେ ଯାହା ସାଇତା
ଅକୁହା ବେଦନା ସମ୍ବଳିତ ସ୍ମାରକ
ଲୁକ୍କାୟିତ ଅବ୍ୟକ୍ତ ବାର୍ତ୍ତା ।
ଆଖି ଆଗରେ ନିତି ନାଚିନାଚି ଯାଏ
ଦିଶେ ପୁଣି ଦିବା ସ୍ୱପ୍ନେ
ଆଖି ଲୁହ ଧାରେ ନିଜର କାହାଣୀ
କାନ୍ଦୁଥାଇ ବସି ଗୋପନେ ।
ଛାତି ଚିରିଦେଇ ଦେଖିପାର ତୁମେ
ରହିଛି ଯେତେକ କଷଣ
ନିଜେ ଦୋଷୀ ସାବ୍ୟସ୍ତ ହୋଇଛି ତଥାପି
ପ୍ରତିଶୋଧର ଖୋଜିନି କାରଣ ।
କିଛି ଆଶା ବିଶ୍ୱାସ ପଛରେ ରହିଛି
ଛଳନା ଭରା ବିଶ୍ୱାସଘାତକ
ବାସ୍ତବତା ଆଗେ ନୀରବି ଯାଇଛି
ଅଲୋଡା ଜୀବନ ଜାତକ ।
ମନ ସିନ୍ଦୁକରେ କେତେ ଯେ ଯାତନା
ଅଛି ପୁଣି ଅନେକ ସ୍ମୃତି
ପରଦା ପଛରେ ଆତ୍ମହତ୍ୟା କରେ
ହେବାକୁ ପାଉଁଶ ଇତି ।
କହିପାରେ ନାହିଁ ସହିପାରେ ନାହିଁ
ଚାପିରଖେ ଛାତିତଳେ
ନିଃଶ୍ୱାସ ବାହାରେ ଗଣୁଥାଏ ବସି
ସମୟର ଅପେକ୍ଷାରେ ।