ପ୍ରତୀକ୍ଷା
ପ୍ରତୀକ୍ଷା
କେମିତି ଭୁଲିବି ତୁମକୁ ହେ ସଖା
କେମିତି ଭୁଲିବି କୁହ,
ସ୍ମୃତିସ୍ନାତା ଏଇ ଅଳସୀ ଫଗୁଣେ
ଛାତି ତଳେ ଉଠେ କୋହ।
ତୁମେ ଗଲାପରେ ତାଟି କବାଟଟା
ଏବେ ବି ରଖିଛି ମେଲା,
ମନ ମୋ କହୁଛି ସଞ୍ଜ ନଇଁ ଗଲେ
ତୁମେ ଯେ ଫେରିବ ଭଲା।
ଆୟୁଷ ଆଗାଏ ସମୟ ସାଗରେ
କେମିତି ରୋକିବି କୁହ!!
କେମିତି ଭୁଲିବି ତୁମକୁ ହେ ସଖା
କେମିତି ଭୁଲିବି କୁହ!!
ଜୀବନରୁ ତୁମ ଝଡି ଗଲି ସିନା
ଶୁଖିଲା ପତର ହୋଇ,
ସବୁଜ ଶାଖାରେ ରହିବାର ମୋହ
ତଥାପି ବି ତୁଟି ନାହିଁ।
ଆଶାର ମଲ୍ଲିକୁ ସତେଜ ରଖିଛି
ସିଞ୍ଚି ସିଞ୍ଚି ଆଖି ଲୁହ।
କେମିତି ଭୁଲିବି ତୁମକୁ ହେ ସଖା
କେମିତି ଭୁଲିବି କୁହ!!

