ପୃଥିବୀ ମାଆ ଆମର
ପୃଥିବୀ ମାଆ ଆମର
କି ସୁନ୍ଦର ସତେ ଏ ପୃଥିବୀ ମାତା
ଗଢ଼ିଲା ଯତନେ କିଏ
ଦିନରାତି ସଙ୍ଗେ ଷଡ଼ୠତୁ ଆସେ
ଦିନବେଳେ ସୂର୍ଯ୍ୟ ଟିଏ ।
ରାତିର ଆକାଶେ ତାରକା ମଣ୍ଡଳ
ଜହ୍ନ ତାରାଙ୍କର ମେଳି
ତାହାର ଝରଣା ନଦନଦୀ ବଣ
ପଶୁପକ୍ଷୀଙ୍କ କାକଳି ।
ତାର ପଞ୍ଚଭୂତେ ସଭିଏଁ ତ ଗଢା
ଅନ୍ତେ ତା ଦେହରେ ଲୀନ
ତାହାର ପ୍ରକୃତି ବାୟୁ ଜଳ ମାଟି
ଧରି ଗଢା ଏ ଜୀବନ ।
ଅତି ଯତନରେ କରୁଛି ପାଳନ
କ୍ଷୁଦ୍ର ରୁ ବୃହତ୍ ପ୍ରାଣୀ
ଯାହାକୁ ଯେପରି ଲୋଡା ସେହିପରି
ରଖିଛି ମନକୁ ଜାଣି ।
କ୍ଷୁଦ୍ରକୀଟ ଠାରୁ ବୃହତ୍ତର ପ୍ରାଣୀ
ସଭିଏଁ ଶୃଙ୍ଖଳେ ବନ୍ଧା
ଜୀବଜଗତରୁ ଉଦ୍ଭିଦ ଜଗତ
ସମ୍ପର୍କ ଭିତରେ ଛନ୍ଦା ।
କିଏ ଜଳଚର କିଏ ସ୍ଥଳବାସୀ
କିଏ ବା ଉଭୟଚର
ସଭିଙ୍କୁ ପାଳୁଛି ସମାନ ଭାବରେ
କରେ ନା ପାତରଅନ୍ତର ।
ମରୁସ୍ଥଳ ଠାରୁ ସାଗର ଗଭୀର
ଉଚ୍ଚ ହିମାଳୟ ଶିଖ
ସବୁଠି ଖଞ୍ଜିଛି ତାର ଉପାଦାନ
ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ।
ସଭିଙ୍କ ଭିତରେ ଶ୍ରେଷ୍ଠ ଅଟେ ପରା
ଆମ ଏ ମଣିଷ ଜାତି
ସେଥିପାଇଁ ଆମ ପୃଥିବୀ ମାତାର
ଅଧିକ ମନୁଷ୍ୟ ପ୍ରୀତି ।
ବୁଦ୍ଧି ବଳିୟାର ମଣିଷ ଜାତିଟା
ବୁଝୁନି ପ୍ରକୃତି ନୀତି
ଭାଙ୍ଗି ଦେଉଅଛି ପୃଥିବୀ ମାତାର
ନିଜ ପ୍ରତି ଥିବା ପ୍ରୀତି ।
ତାର ପ୍ରତିଫଳ ଭୋଗୁଛି ସେ ନିଜେ
ସୁନାମି ଠାରୁ ଏ କରୋନା
ଦୈବ ଦୁର୍ବିପାକ ବାତ୍ୟା ଭୂମିକମ୍ପ
ପୃଥିବୀ ମାତାର କୋପ ଯେ ସିନା ।
ଅଦିନ ବରଷା ମରୁଡି ଓ ବଢ଼ି
ଦାଉ ସାଧୁଛି ପ୍ରକୃତି
ତଥାପି ବୁଝୁନି ଗର୍ବେ ହୋଇ ମତ୍ତ
ଆମ ଏ ମଣିଷ ଜାତି ।
ଜଙ୍ଗଲ ହାଣୁଛି କଳକାରଖାନା
ଜଳ କରୁଛି ଦୂଷିତ
ନିଃଶ୍ୱାସର ଯୋଗ୍ୟ ହେଉନାହିଁ ବାୟୁ
ହେଉଛେ ନାନା ରୋଗରେ ପୀଡିତ ।
ତଥାପି ଧରିତ୍ରୀ କରୁଛି ଧାରଣ
ନ ଧରି ସନ୍ତାନ ଦୋଷ
ଭାବୁଛି ସେ ମନେ ମଣିଷ ବୁଝିବ
ଦିନେ ନା ଦିନେ ତା ଦୋଷ ।
ବୃକ୍ଷର ରୋପଣ ଜଳ ସଂରକ୍ଷଣ
ମୃତ୍ତିକାର ଅବକ୍ଷୟ
ବାୟୁ ପ୍ରଦୂଷଣ ରୋକିଥାଏ ପରା
ନଥାଏ ବାତ୍ୟାର ଭୟ ।
ଆମେ ସବୁ ପରା ଧରଣୀ ସନ୍ତାନ
ପୃଥିବୀ ମାଆ ଆମର
କରିବା ଶପଥ ବଞ୍ଚିବା ସଭିଏଁ
ସ୍ନେହ ରଖି ପରସ୍ପର ।
ନ ଭାଙ୍ଗିବା କେବେ ପ୍ରକୃତି ନିୟମ
ନ ଭୋଗିବା ତାର ରୋଷ
ଆମ ଏ ପୃଥିବୀ ମାତା ହେବ ଖୁସି
ବଢିବ ତାର ସନ୍ତୋଷ ।