ପ୍ରସଂଗ--ଗଣତନ୍ତ୍ର ବନାମ ରାଜତନ୍ତ୍
ପ୍ରସଂଗ--ଗଣତନ୍ତ୍ର ବନାମ ରାଜତନ୍ତ୍
ବହୁ ଚିନ୍ତା ଚେତନା ପରେ ଦର୍ଶନରେ
ସୃଷ୍ଟି ହେଲା ଏକ ମନ୍ତ୍ର
ଲୋକଙ୍କ ଦ୍ୱାରା, ଲୋକ ମାନଙ୍କର,
ଲୋକଙ୍କ ପାଇଁ ଗଣତନ୍ତ୍ର ।
ଆଗରୁ ପ୍ରଜାଙ୍କ ମଙ୍ଗଳେ ଯଦି ମନ
ରହୁଥିଲା କେଉଁ ରାଜାଙ୍କର
ତା ନୀତିରେ ପ୍ରଜା ଭଲେ ଚଳୁଥିଲେ
ରାଜ୍ୟେ, ବିଦିତ ଜଗତ ଭିତର ।
ରାଜା ଥିଲେ ହୁଣ୍ଡା ବା ଗୁଣ୍ଡା, ତାହାର
ନଥିଲା ଖାତିର କାହାକୁ
ପ୍ରଜାଙ୍କ ମଙ୍ଗଳ କିପରି ରହିବ କାଣ୍ଡଜ୍ଞାନ
ତ ନଥାଏ ତାହାକୁ ।
ଭଲ ଥିଲା ହଜାରରେ ଏକ, ଦେଖ
ସମସ୍ତ ଇତିହାସରେ
ଥିଲେ ବିରଳ ରାଜନ, ଯେ ରଖୁଥିଲେ
ମନ, ଧର୍ମ ନୀତିରେ ।
ଯୁଗେ ଯୁଗେ ରାଜାଂକର ପର ନାରୀ
ପ୍ରତି ଥିଲା ମନ୍ଦ ମତି ଗତି
ସୁନ୍ଦରୀ ରୂପବତୀ ନାରୀଙ୍କୁ ପରଜା
ରାଜାଠୁ ସଦା ଲୁଚାଇ ରଖନ୍ତି ।
ନେତା ଉତ୍ସର୍ଗ କଲେ ମନ ଓ ପ୍ରାଣକୁ
ରାଜନୀତି ଧରମରେ
ପ୍ରଜାଙ୍କ ମଙ୍ଗଳେ ସର୍ବଦା ନିଶ୍ଚିତ ରହିବ
ଏହି ଗଣତନ୍ତ୍ର ନୀତିରେ ।
ବେପାରୀ ହେଲେ ମନ୍ତ୍ରୀ, ରାଜକୋଷ
ଲୁଟି ତ ନିଅନ୍ତି
ମାଛ ମାଂସ ମଦରେ ମତୁଆଲା ହୋଇ
ସୁଖ ନିଦ୍ରାରେ ଶୁଅନ୍ତି ।
ମଣିଷ ମାଗିଖିଆ ହେଲେ ଭ୍ରଷ୍ଟ ବ୍ୟକ୍ତି କିଣି
ପାରିଥାନ୍ତି ଭୋଟରଙ୍କୁ
ଅପରାଧୀ ଯଦି ଶାସନରେ ବସେ, ଦୋଷ
କଅଣ ଦବା କି ଗଣତନ୍ତ୍ରକୁ ।
ଅନ୍ୟାୟ, ଦୁର୍ନୀତି, ନାରୀ ଧର୍ଷଣରେ, ହାତ
ଥାଏ ଯଦି ମନ୍ତ୍ରୀର
ଫାଶୀ ମିଳେ ଯଦି ନିର୍ଦୋଷୀକୁ, ତାହା କଅଣ
ଦୋଷ ଗଣତନ୍ତ୍ରର ।
ତ୍ରେତୟାରେ ଥିଲେ ବହୁ ରାଜା, ପାଶୋରି
ନଥିଲେକି ରାଜଧର୍ମ ନୀତି ସବୁକୁ
ରାଜତନ୍ତ୍ର ଠାରୁ ଉନ୍ନତ ପ୍ରଜା ମଙ୍ଗଳକାରୀ
ମୁଁ ଦେଖେ ଗଣତନ୍ତ୍ରକୁ ।
