ପ୍ରଣୟ ତୃଷ୍ଣାରେ
ପ୍ରଣୟ ତୃଷ୍ଣାରେ
ତୁମେ ଯେତେବେଳେ ମୋ ଭିତରେ
ସମ୍ପୂର୍ଣ୍ଣ ଘନେଇଯିବ,
ସତେ ଅବା ପ୍ରଣୟ ତୃଷ୍ଣାରେ ମୟୂର
ତୋଳେ ଉଷ୍ଣ ଅନୁରାଗ।
ଶରତ ରେ କାଶତଣ୍ଡି ସତେ ଅବା
ଦୂର ଦିଗବଳୟ ଚିରି,
ଆକାଶରେ ନୀଳ ନିରବତା
ଡାକୁଥିବ ଅବା ହାତ ଠାରି।
ମୁହୂର୍ତ୍ତ ର ରାଣ ଦେଇ ମାଈ ସଂଜ
ନଇଁଯିବ ନବବଧୂ ପରି,
ଜୋଛନା ରେ ନୀଳକଇଁ
ଲାଜେ ଯାଏ ମରି।
ପ୍ରେମ ଫଲଗୁ ଜୀବନରେ ଧାର
ଧାର ହେଇ ବହୁଥିବ,
ଶ୍ରାବଣରେ ମନ ଆଉ ଶରୀର
ପୁଣି ଏକତ୍ର ଭିଜିବ।
ସାଗର ଶାମୁକା ସତେଯେମିତି
ସମ୍ପର୍କ ବେଳାଭୂମି ରେ,
ଆମେ ଦୁହେଁ ସେହିପରି
ଗୋଲାପୀ ବେଳାରେ।
ସ୍ମୃତିଭିଜା ରାତି ଯେମିତି
ପ୍ରେମ ପୁଷ୍ପ ବରଷାଏ,
ପୁଷ୍ପ ପ୍ରେମେ ମାଳି ଯେମିତି
ବାନ୍ଧି ହେଇଥାଏ।
ସତେ ଅବା ସୂର୍ଯ୍ୟଙ୍କ ର ରଶ୍ମି
ପଡେ ପଦ୍ମ ପାଖୁଡ଼ାରେ,
ମନର ତୃଷ୍ଣା ଯେ ମେଣ୍ଟେ
ପ୍ରେମ ମଦିରା ରେ।
ପ୍ରେମ ମଧୁବନର ସେ
ଭୁରୁଭୁରୁ ଅପୂର୍ବ ବାସ୍ନା,
ଚୋରା ଚଇତାଳି କାହିଁ ଭାରି
କରେ ଆନମନା।
ମୋ ଭିତରେ ତୁମେ ଯେବେ
ସଂପୂର୍ଣ୍ଣ ଘନେଇଯିବ,
ଜୀବନ ର ପୂର୍ଣ୍ଣତା ସହ
ହେବକି ସଂଯୋଗ?
ତୁମେ ଯେତେବେଳେ ମୋ ଭିତରେ
ସମ୍ପୂର୍ଣ୍ଣ ଘନେଇଯିବ,
ସତେ ଅବା ପ୍ରଣୟ ତୃଷ୍ଣାରେ ମୟୂର
ତୋଳେ ଉଷ୍ଣ ଅନୁରାଗ।
ତୁମେ ଯେତେବେଳେ ମୋ ଭିତରେ
ସମ୍ପୂର୍ଣ୍ଣ ଘନେଇଯିବ.......।

