ସାଥୀ ରୁ ଜୀବନସାଥୀ
ସାଥୀ ରୁ ଜୀବନସାଥୀ
ସାଥୀ ରୁ ଜୀବନସାଥୀ ର ପଥ
ହୁଏତ ସହଜ ହେଇ ନଥାନ୍ତା ଏତେ,
ଯଦି ତୁମେ ଏ ଦୁର୍ଗମ ପଥରେ ବାସ୍ତବରେ
ସାହାସ ଦେଇ ନଥାନ୍ତ ମୋତେ।
ଏ ଜୀବନ ରେ ଅନେକ ଝଡ ଝଞ୍ଜା
ତଥାପି ଏ ସଂପର୍କ ସୂତେ ବି ହଲିନି,
ଯୋଜନ ଦୂରତା ଆଉ ସମୟ ର ଅଭାବ
କେବେ ସମ୍ପର୍କ ରେ ଜୁଆର ଆଣିନି।
ତୁମେ ମୋତେ ଖୁବ୍ ବୁଝ ହେଲେ
ମୁହଁ ଖୋଲି ସିନା କହି ପାରନା,
ସମ୍ପର୍କ ର ସେ ନିଆରା ରଙ୍ଗରେ
କରି ଦିଅ ଭାରି ଆନମନା।
ରୌଦ୍ର ତାପରେ ବି ଧରା ଶ୍ରାବଣ ର
ଅନୁଭବ ଆଣି ତୁମେ ଦିଅ ଢାଳି ,
ତୁମ ସେନେହ ପରଶ ପାଇ ପ୍ରସ୍ଫୁଟିତ
ଆଜି ଏଇ ସମ୍ପର୍କ ଶେଫାଳୀ ।
ହେମନ୍ତ ର ହେମ କାକର ରେ ବି
ଏ ସଂପର୍କ ଅତୁଟ
ରହିଛି,
ମାଘ ର ବାଘୁଆ ଶୀତରେ
ପରିଭାଷା ବଦଳିନି କିଛି।
ବସନ୍ତ ର ଚଗଲା ମଳୟ
ବେଳେ ଆସି କାନେ କହିଯାଏ,
ଏ ପ୍ରେମ କାହାଣୀ ଅନେକ ବର୍ଷର
ଆଜି କି କାଲିର ଏ ନୁହେଁ।
ଏ ଜୀବନ ର ଶେଷ ନିଃଶ୍ୱାସ ପରେ ବି
ସାତ ଜନ୍ମ ବାନ୍ଧି ହେଇଥିବ,
ତୁମର ଆଉ ମୋର ଏ ସଂପର୍କ
ଏକ ନିତ୍ୟ ଆଉ ଦିବ୍ୟ ଅନୁଭବ।