ପରମାନନ୍ଦ
ପରମାନନ୍ଦ
ପରମାନନ୍ଦ--
ତୁମେ ଯେତେବେଳେ ଛୁଇଁ ଦିଅ.
ରଙ୍ଗ ହୀନ ଜୀବନରେ
ସାତରଙ୍ଗ ଭରେ -
ଧୂଳି ଜମାଟ ବନ୍ଧା ସମସ୍ତ ରଙ୍ଗ
ପୁଣି ଉଦ୍ଭାସିତ ହୁଏ
ତାର ନାଯ୍ୟ ରଙ୍ଗକୁ ନେଇ ।
ପରମାନନ୍ଦ-
ତୁମେ ଯେତେବେଳେ ଛୁଇଁ ଦିଅ ହୃଦୟକୁ
ପ୍ରେମର ସ୍ଵର କାନରେ ବାଜେ
ଅଦ୍ଭୁତ ଆମାୟିକ ଶବ୍ଦ ଭିତରେ
ସୃଷ୍ଟି ହୁଏ ଅନିତ୍ୟ ଓଁକାର ।
ପରମା ନନ୍ଦ -
ତୁମେ ଯେବେ ଛୁଇଁ ଯାଅ ମନକୁ
ମନରେ ଫୁଟି ଉଠେ
କେତେ ପୁଷ୍ପ ରାଜି
ବାସନାରେ ମହକେ ଶରୀର
ଆଉ,
ମନ ମୋ ପାଲଟିଯାଏ
ପ୍ରେମର ବଗିଚା ।
ପରମାନନ୍ଦ-
ତୁମେ ଯେବେ ଛୁଇଁ ଦିଅ
ମୋ ଇଶ୍ୱର ଦତ୍ତ ଆତ୍ମାକୁ
ଅବର୍ଣ୍ଣନୀୟ ଅନୁଭୂତି ଆବୋରି ବସେ
ଦେହ,ମନ, ଆତ୍ମା ଇଲାକାକୁ ।
ପରମାନନ୍ଦ-
ଯେତେ ବେଳେ ଛୁଇଁଦିଅ
'ମୁଁ'ତ୍ଵ କୁ ଛାଡି
ମଜ୍ଜି ଯାଏ - ହଜିଯାଏ
ସୁନ୍ଦର ଅବର୍ଣ୍ଣନୀୟ ଏକ ଅନୁଭବରେ ଯେଉଁଠି -
ମୁଁ, ତୁମେ, ସେ, ସେମାନଙ୍କର
ସଂଜ୍ଞା ଓ ସ୍ୱରୂପ
ଉଭେଇ ଯାଏ
ଉଭେଇ ଯାଏ ସମସ୍ତ ବିପରୀତ ମୁଖୀ ଶବ୍ଦ ମାନଙ୍କର ଭିଡ଼ -
ପ୍ରକୃତି ଯେମିତି
ମହମ ଭଳି ତରଳୁଥାଏ-
ଆଉ,
ମୁଁ ମୋତେ ହରାଇ ବସେ
ତୁମ ପ୍ରେମ ସାଗରରେ ଖାଲି ନାଚୁଥାଏ ଆଉ ନାଚୁଥାଏ ।
ଖାଲି ରହିଯାଏ
ତୁମର ପ୍ରେମ - ତୁମର ଆଶିଷ ।
ଆଉ,
ତୁମ ରଙ୍ଗେ ରଙ୍ଗାୟିତ ମୁଁ
ହଜିଯାଏ କାହିଁ କେଉଁ
ଅଥଳ ସେ ପ୍ରେମର ସାଗରେ
ଯାହାର ନା ସୀମା ଅଛି
ନା, ତାକୁ କିଏ ମାପି ପାରିଛନ୍ତି-
ସେଇ ସେ ପରମାନନ୍ଦ
ଯାହାର ଅନୁଭବ ଅବର୍ଣ୍ଣନୀୟ
ଅନୁଭୂତି ଅପ୍ରକାଶ୍ୟ-
ଭାଷା ବହିର୍ଭୁତ
ଯାହା ଅକ୍ଷୟ ଅଜ୍ଯୟ
ଆଉ,
ତାହାହିଁ ଜୀବନର
ପରମ ଓ ଚରମ ଲକ୍ଷ୍ୟ ।
