ପ୍ରଳୟର ଅଗ୍ନିକୁଣ୍ଡୁ ହେବ ପୁନର୍ଜନ
ପ୍ରଳୟର ଅଗ୍ନିକୁଣ୍ଡୁ ହେବ ପୁନର୍ଜନ
ଉଜୁଡିଗଲା ମୁଠା ମୁଠା ବିଶ୍ବାସ
ମଉଳିଗଲା ସବୁଜ ସ୍ବପ୍ନର ଆସ୍ତରଣ
ବତୁରିଗଲା ମୁଠାଏ ନିଶ୍ବାସ
ଅଭିଶପ୍ତ ସମୟର ଚକ୍ର
ବିକାରଗ୍ରସ୍ତ ହିସାବ ନିକାଶ
ବର୍ଷ-ମାସ-ଦିନ-ଦଣ୍ଡ ନୀରବ ମଉନ ;
ମାଟିରୁ ଆକାଶ କୋଳାହଳ ଶୂନ୍ୟ
ସବୁ ବିପର୍ଯ୍ୟସ୍ତ,ଶାପଗ୍ରସ୍ତ
ଓଲଟ ପାଲଟ ସବୁ ଜୀବନର ସୂତ୍ର
ନିଃଶବ୍ଦ, ଖାଁ ଖାଁ, ଧ୍ବଂସର ନଗ୍ନ ଚିତ୍ର
ସମୟର ଅଟ୍ଟହାସ୍ୟ
ବିଭତ୍ସ ରୂପ ,କରାଳ ଦୃଶ୍ୟ ,ତାଣ୍ଡବ ସେ ନୃତ୍ୟ
ବିପର୍ଯ୍ୟସ୍ତ ଭାଗ୍ୟ ଓ ଭବିଷ୍ୟ
ଗର୍ବ ଓ ଅହଙ୍କାରରେ ଉବୁଟୁବୁ ମଣିଷ
ସତେ କେତେ ନିଃସ୍ବ ,ପୁଣି କେତେ ଅସହାୟ !!
ଭାଙ୍ଗିଗଲା ମୋହ , ବହଳ ସମ୍ମୋହନ
ଧୂଳି/ମାଟି /ବର୍ଷା /ବସନ୍ତ/ପୁଣି ସମ୍ପର୍କର ;
ଟଳିଗଲା ଦୃମ, ନଭଶ୍ଚୁମ୍ବୀ ଇମାରତ
ଦୋହଲିଗଲା ବସା,ଚୂରମାର ବିଭେଦ ପ୍ରଚୀର
ଚତୁର୍ଦିଗ ଆର୍ତ୍ତନାଦ କରୁଣ ଚିତ୍କାର
ପ୍ରକୃତିର ନିଷ୍ଠୁର ପାଦ ଶବ୍ଦ
ଭୀମ ଭୈରବ ଗର୍ଜନ
ନିଗିଡି ଗଲା ଧାର ଧାର ଲୁହ-ଲହୁ-ସ୍ବେଦ ବିନ୍ଦୁ ,
ମହାପ୍ରଳୟର ମହାନ୍ଧକାରେ
ଖିନଭିନ୍ ବଡଦାଣ୍ଡ, ବାଇଶ ପାହାଚ
ଶ୍ରୀହୀନ ଶ୍ରୀକ୍ଷେତ୍ର
ଯାହା ଖାଲି ନୀରବ ଅଶ୍ରୁତର୍ପଣ
କେତେ ଅସହାୟ ଏ ମଣିଷ ସତେ
ପଙ୍ଗୁ ,ଅଥର୍ବ ଓ ଭାଗ୍ୟହୀନ ।।
ସଳଖ ଛିଡା ହେବାକୁ ଅଣ୍ଟା ଭିଡୁଥିବା ବେଳେ
ନିଷ୍ଠୁର ଆକ୍ରମଣ ପ୍ରକୃତିର
ମୁଣ୍ଡ ଟେକି ବାଟ ଚାଲିବାର ସମସ୍ତ ଚେଷ୍ଟାରେ
ଅସଫଳ ବାରମ୍ବାର
ପ୍ରକୃତିର କୋପେ ଶଙ୍କାଗ୍ରସ୍ତ ଓ ଭୀତତ୍ରସ୍ତ ;
ଚାଖଣ୍ଡେ ମାଟିକୁ ଜାବୁଡି ଧରିବାର ମୋହରେ
ସବୁ ନିଃସଙ୍ଗତାକୁ କୋଳାଗ୍ରତ କରିବାର
ବଜ୍ର ଶପଥରେ ଆଗୁସାର ହେବାବେଳେ
ବେସାହାରା, ପୁଣି ବାକ୍ ଶୂନ୍ୟ
ବିଜ୍ଞାନ ବଳେ ବଳୀୟାନ ଏ ସଭ୍ୟ ମଣିଷ
ସତରେ କେତେ ଦୁର୍ବଳ ଓ ଜରାଜୀର୍ଣ୍ଣ ।।
ତଥାପି, ଉଠିବ ଏ ଜାତି
ଛୁଇଁବ ଆକାଶକୁ , ତୋଳିବ ଜହ୍ନକୁ
ସଭ୍ୟତାର ବିକାଶରେ ହେବ ଭାଗିଦାର
ଅତୀତକୁ ଅତୀତରେ ପୋତିଦେଇ
କାନ୍ଧ ଉପରକୁ ଟେକି ନେବ
ସବୁତକ ଦୁଃଖ ,ଆଉ ଯେତେ ବିପର୍ଯ୍ଯୟ ,
ହସିବ ଏ ମାଟି ପଲ୍ଲୀରୁ ସହର
ବଣ, ବିଲ, ନଈ ଓ ପାହାଡ
ପ୍ରଳୟର ଅଗ୍ନିକୁଣ୍ଡୁ ହେବ ପୁନର୍ଜନ୍ମ
ଏକ ନୂଆ ସୂର୍ଯୋଦୟ,ନୂଆ ସକାଳର
ଅନ୍ଧକାର ଯେତେ ହେବ ଜ୍ୟୋତିଷ୍ମାନ ।।
