ପ୍ରକୃତି
ପ୍ରକୃତି
ଯାହାର ପ୍ରକୃତି ଯେମିତି ସ୍ବଭାବ
କେବେ ସିଏ ଛାଡେ ନାହିଁ
ବିଷଟାକୁ ଯେତେ ଅମୃତେ ଭରିଲେ
କି ବା ଖାଦ୍ୟ ଯୋଗ୍ୟ ସେହି ।
ଇର୍ଷା ପରାୟଣ ଅସହିଷ୍ଣୁ ବ୍ୟକ୍ତି
କାହା ଭଲ ଚାହେଁ ନାହିଁ
କାହାର ପ୍ରଶଂସା କର୍ଣ୍ଣରେ ଶୁଣିଲେ
ଜଳି ଯାଏ ତାର ଦେହୀ ।
ଜିରା ଭିତରୁ ସେ ଶିରାକୁ ବାହାର
କରି ଛିଦ୍ରମକୁ ଖୋଜେ
ନିନ୍ଦା ଅପବାଦ କେମିତି ସେ ଦେବ
ତାହାରି ଭିତରେ ହଜେ ।
ମନଟି ତାହାର ଏମିତି ବିକୃତ
ସହେନି କାହାର ଖ୍ୟାତି
ଛକି ବସି ଥାଏ ତାର ଯଶ କୀର୍ତ୍ତି
କେମିତି କରିବ ଇତି ।
ଚକ୍ରାନ୍ତର ଜାଲ ବୁଣି ଦେଇ ସିଏ
ବହୁରୂପୀ ସାଜି ଥାଏ
ସମସ୍ତଙ୍କ ପାଖେ ଭଲେଇ ହେବାର
ଅଭିନୟ କରେ ସିଏ ।
କାଇଦା ଫାଇଦା ଉଠାଇ ଥାଏ ସେ
ଭଦ୍ର ମୁଖାଟିଏ ପିନ୍ଧି
ଭଲ ଭାବେ ତାକୁ ଜଣା ଯାଇଥାଏ
ଫର୍ମୁଲାର ସବୁ ସନ୍ଧି ।
ଏପାଖ ସେପାଖ ଉଭୟରେ ଥାଇ
ଲଣ୍ଡ ଭଣ୍ଡ ହେଉଥାଏ
ଚିକଣିଆ କଥା କହି ମନ ମୋହି
ଦୂରତା ବଢାଉ ଥାଏ ।
ଉପରକୁ ମିତ୍ର ଭିତରକୁ ଶତ୍ରୁ
ବିଷ ବୃକ୍ଷ ଟିଏ ସିଏ
ନା ସହଜରେ ଚିହ୍ନି ଦୁଏ ତାକୁ ନା ତା
ପ୍ରକୃତି ବଦଳି ଥାଏ ।
ଏମିତି ପ୍ରକୃତି ଲୋକଙ୍କଠୁ ସଦା
ଦୂରେଇ ରହିବା ଭଲ
>ନ ହେଲେ କୁହ ତ କେ କହି ପାରିବ
ନ ହଜିବ ତୁମ ମୂଲ ।
ନିଆଁର ପ୍ରକୃତି ଉତ୍ତାପକୁ ଦେବା
ଭଲ ମନ୍ଦେ ବ୍ୟବହାର
ଯାହାର ପ୍ରକୃତି ସ୍ବଭାବ ଯେମିତି
କରେ ସେହି କାରବାର ।
ଜଳର ସ୍ବଭାବ ମଧୁର ଶୀତଳ
ଜୀବନ ସେ ଭରି ଦିଏ
ଜାଣିଛକି କେବେ ଇର୍ଷା କରି କାହା
ଜୀବନ ନେଇଛି ସିଏ ।
ମୃଦ୍ୟୁ ମଳୟଟି ବହଇ ଏମିତି
ପ୍ରାଣ ସଞ୍ଚାର କରଇ
ଶୁଣିଛକି କେବେ କାହା କଥା ନେଇ
କା' ପାଖେ କହିଛି ଯାଇ ।
ସୂର୍ଯ୍ୟର ପ୍ରକୃତି ଅନ୍ଧାର ନାଶିବା
ଆଲୋକ ଦେବା ଜଗତେ
କହିକି ପାରିବ ସେଇ ସୂର୍ଯ୍ୟ କେବେ
ଶତ୍ରୁତା କରିଛି ମର୍ତ୍ତ୍ୟେ ।
ଫଳନ୍ତି ବୃକ୍ଷଟି ନଇଁ ଥାଏ ସଦା
ଟେକା ମାଡ ସହୁ ଥାଏ
ତଥାପି ତାହାର ଶୀତଳ ଛାୟାରେ
ଆଶ୍ରୟ ସଭିଁଙ୍କି ଦିଏ ।
ସୂର୍ଯ୍ୟ, ଚନ୍ଦ୍ର, ତାର ଉପରେ ଥାଇଣ
ତଳକୁ କରନ୍ତି ମୁହଁ
ଯେତେ ଜ୍ଞାନୀ ଗୁଣୀ ,ବିବେକୀ ମଣିଷ
ଉପର ମୁହଁ ତ ନୁହଁ ।
ଯାହାର ପ୍ରକୃତି ଯେମିତି ସ୍ବଭାବ
ନା କେବେ ଛାଡି ପାରିବ
କିଛି ଲାଭ ନାହିଁ ସେମାନଙ୍କୁ କହି
ନିଜେ ବାଟେ ଭାଙ୍ଗି ଯିବ ।
ଭଲ ପ୍ରକୃତିଟି ସୁବର୍ଣ୍ଣ ପରିକା
ସର୍ବଦା ଝଟକୁ ଥିବ
ମନ୍ଦ ପ୍ରକୃତିଟି ବିକୃତ ମସ୍ତିଷ୍କ
ଭାବି ଚିନ୍ତି ସାଥି ହେବ ।