ମାଡିଆସେ ସମୁଦ୍ର
ମାଡିଆସେ ସମୁଦ୍ର
ଓଡିଶାକୁ ଅଭିଶାପ
ସମୁଦ୍ରର କୋପ
ମହାବତ୍ଯା ଅବପାତ
ଝଡ ଲଘୁଚାପ ।
ସମୁଦ୍ରରେ ଲଘୁଚାପ
ଯେବେ ହୁଏ ସୃଷ୍ଟି
ସ୍ଥଳଭାଗ ଛୁଇଁ ସିଏ
କରେ ମେଘ ବୃଷ୍ଟି ।
ଲଘୁଚାପ ନିଏ ଯଦି
ଅବପାତ ରୂପ
ଆତଙ୍କିତ ଉପକୂଳ
ବାତ୍ୟାର ପ୍ରକୋପ ।
ଅଶାନ୍ତ ସମୁଦ୍ର ହୁଏ
ଝଡ ଆସେ ମାଡି
ପ୍ରବଳ ବରଷା ସାଥେ
ପବନର ରଡି ।
ଯୁଆରୀଆ ସମୁଦ୍ରର
ଉତ୍ତାଳ ତରଙ୍ଗ
ଧୋଇନିଏ ଉପକୂଳ
ଗାଁ ଗଣ୍ଡା ରଙ୍ଗ ।
ସୁଜଳା ସୁଫଳା କ୍ଷେତେ
ଚରିଯାଏ ବାଲି
ଭାଷିଯାଏ ଘରଦ୍ୱାର
ଗାଁ ଖାଲିଖାଲି ।
ଧନୀ କି ଗରିବ ସବୁ
ବେସାହାରା ହୋଇ
ସରକାରୀ ସାହାଯ୍ୟକୁ
ରୁହନ୍ତି ଅନାଇ ।।
ଏମିତି ସମୁଦ୍ର ଆସି
ଉପକୂଳେ ମାଡି
ଚାଷବାସ ହସଖୁସି
ଦେଉଛି ଉଜାଡି ।
ସମୁଦ୍ରର କୂଳେକୂଳେ
ଗଛଦେଲେ ଭରି
ଆସନ୍ତାନି ଝଡବତ୍ଯା
ଉଗ୍ରରୂପ ଧରି ।
ରାଇଜର ହୁଅନ୍ତାନି
ଏତେ କ୍ଷୟକ୍ଷତି
ଝଡବତ୍ଯା ପାଇଁ ଆଉ
ରୁହନ୍ତାନି ଭିତି ।