ପ୍ରକୃତି
ପ୍ରକୃତି
ପ୍ରକୃତି ସହିତ ପୁରୁଷ ସଂଯୋଗୁ,
ଜୀବଜଗତର ହୋଇଛି ସୃଷ୍ଟି ।
ଯେ ଯାହା ସ୍ବଭାବେ କରନ୍ତି ସ୍ଵକର୍ମ,
ବିଚିତ୍ର ଅଟଇ ସଂସାର ନୀତି ।
ଯାହାକୁ ଯେମିତି ଗଢ଼ିଛି ବିଧାତା,
କଦାପି ନ ହେବ ତାହା ଅନ୍ୟଥା ।
ପ୍ରକୃତି ବଶରେ ହୋଇ ନିମଜ୍ଜିତ,
ନିଜ କାର୍ଯ୍ୟ କରିଥାନ୍ତି ସର୍ବଥା ।
ତିକ୍ତରସ ଯୁକ୍ତ ଅଟଇ ଯେ ନିମ୍ବ,
ସହଜାତ ଗୁଣେ ସୃଷ୍ଟି ତାହାର ।
ତା'ମୂଳରେ ଯେତେ ଦେଲେ ଗୁଡ଼-ମହୁ,
ତଥାପି ନ ଲାଗେ କେବେ ମଧୁର ।
ବିଛୁଆତି ବୃକ୍ଷେ ଯଥା କଣ୍ଡୁ ଦୋଷ,
ବାଇଡ଼ଙ୍କ ଫଳ ଲାଗେ ତାଦୃଶ ।
ସ୍ପର୍ଶନ ମାତ୍ରକେ ହୁଏ ତୀବ୍ର ଗଲୁ,
ସ୍ବଭାବେ ଲାଗଇ ବିଷ ସଦୃଶ ।
ଅମେଧ୍ଯକୁ ଗ୍ରାସ କରେ ସର୍ବଦା,
ପ୍ରକୃତିର ବଶ ହୋଇ ଶୁକର।
ହେଲେ କର୍ଦ୍ଦମାକ୍ତ ଶରୀର ତାହାର,
ପରମ ଆନନ୍ଦ ଲଭେ ଅପାର।
ପକ୍ବ ରମ୍ଭାଫଳେ ନାହିଁ ତା'ର ରୁଚି
ମନ୍ଦ ପରିବେଶେ ହୁଅଇ ତୃପ୍ତି ।
ମୂର୍ଖକୁ ଦେଲେ ଯେତେ ଶାସ୍ତ୍ରାର୍ଥ ଜ୍ଞାନ,
କରୁଥାଇ ସଦା ବିତଣ୍ଡା ଯୁକ୍ତି ।
କାକ ଓ କୋକିଳ ରୂପରେ ଅଭିନ୍ନ,
ପ୍ରକୃତି ଦୁହିଁଙ୍କ ଅଟଇ ଭିନ୍ନ ।
କର୍କଶ ଭାବ ଯେ ଅଟଇ କାଉର,
ମୁଗ୍ଧ-ମନୋହର ପିକର ଶ୍ବନ |
ସଂସାରେ ଯାହାର ଯେମନ୍ତ ପ୍ରକୃତି
ତ୍ୟଜି ନ ପାରଇ ତା'ର ଦୁର୍ଭାବ ।
ବିପଦରେ ସାଧୁ ହେଲେ ସମ୍ମୁଖୀନ,
ନ ପାରନ୍ତି ଛାଡ଼ି ତାଙ୍କ ସ୍ବଭାବ ।
ସର୍ବଭୂତ ହିତ ଚିନ୍ତଇ ଯେ ସାଧୁ,
ମନ୍ଦକାର୍ଯ୍ୟେ ଦୁଷ୍ଟ ଥାଏ ନିମଗ୍ନ ।
ଅଙ୍ଗାରକୁ ଯେତେ କରିଲେ ବିଧୌତ,
ନ ଛାଡେ କେବେ ତା' ନିଜସ୍ବ ଗୁଣ ।
ଷଡରିପୁ ଦ୍ବାରା ହୋଇ ବଶବର୍ତ୍ତୀ
ଅଜ୍ଞାନରେ ମୂର୍ଖ ଆଣେ ବିପତ୍ତି ।
ବିପଦରେ ପଡି ହୁଏ ବୁଦ୍ଧିଭ୍ରଷ୍ଟ
ପରିଶେଷେ ତା'ର ହୁଏ ଦୁର୍ଗତି।
ମନ-ଇନ୍ଦ୍ରିୟକୁ କଲେ ନିୟନ୍ତ୍ରଣ,
ହୋଇଯାଏ ବ୍ୟକ୍ତି ମହାପୁରୁଷ ।
ଉତ୍ତମ ସ୍ବଭାବେ କରି ରାଷ୍ଟ୍ର ସେବା,
ସଂସାରେ ସ୍ଥାପଇ ଗୌରବ-ଯଶ।
ଆପଣା ସ୍ବଭାବ ବର୍ଜନ କରିବା,
ସହଜସାଧ୍ୟ ନୁହଇ ଏହାତ ।
ମୃତ୍ୟୁପରେ ଆପେ ମୂଳପ୍ରକୃତିଟି
ଚିତାଗ୍ନିରେ ସେ ହୁଏ ଭସ୍ମୀସାତ ।
