ପରକାଳ
ପରକାଳ
ଜୀବନ ଗୋଟେ କ୍ଷୁଦ୍ର ନାଟକ
ଏଠି ଚରିତ୍ର ମାନେ ବୁଡ଼ି ରୁହନ୍ତି
ଅଭିନୟର ମହୁଲି ନିଶାରେ ।
ନା ତର ଥାଏ
ଦୀର୍ଘ ଶ୍ୱାସ ନେବାରେ
ନା ଅଡ଼ୁଆ କୁଞ୍ଚ ସଜାଡିବାରେ ।
ଯୁଝୁ ଯୁଝୁ ସରିଯାଏ
ଦୃଶ୍ୟ, ଦୃଶ୍ୟାନ୍ତର
ପୁଣି ତେଲ ଲୁଣର
ଘଷରା କାହାଣୀ ।
ଏଠି ବେଳ କାହିଁ
ପରକାଳ କଥା ଭାବିବାକୁ
କ'ଣ ବା ଭାବି କି ଲାଭ
ପୁଣି ଏକ ନୂଆ ଚରିତ୍ର
ନୂଆ ରଙ୍ଗ ମଞ୍ଚ, ନୂଆ ସହ କଳାକାର ।
ହଁ, ଯଦି ଏଇ ଚରିତ୍ରଟିର
ଦୃଶ୍ୟ ସଂଖ୍ଯା ବଢ଼ା ଯାଆନ୍ତା
ନିଚ୍ଛକ ଅଭିନୟ ଟିକେ କରି ହୁଅନ୍ତା
ଅନ୍ତତଃ ଅନୁତାପ, ଅବସାଦ
ପରର ଦୃଶ୍ୟକୁ ସଜାଡି ହୁଅନ୍ତା
ଜୀବନ ଆହୁରି ଟିକେ ଜୀଇଁ ହୁଅନ୍ତା ।