ପ୍ରିୟତମା ଶୀତ
ପ୍ରିୟତମା ଶୀତ
ଅନ୍ଧାର ଭିତରେ ରାତି ଶୋଇଗଲା
ସପନ ଶୋଇଲା ନିଦେ
ପ୍ରିୟତମା ଶୀତ କାକର ଶେଯରେ
ଶୋଇ ଯାଇଥିଲା ଦମ୍ଭେ I
ରଜନୀଗନ୍ଧାର ମହକ ଛୁଟିଲା
ଶେଫାଳୀ ବାଣ୍ଟିଲା ବାସ
ଖୁସି ମୋର ସବୁ ଶୋଇ ଯାଇଥିଲେ
ମୁହଁରେ ଫୁଟାଇ ହସ I
କମ୍ବଳ ଭିତରେ ନିଦ ଶୋଇଥିଲା
ନିରୋଳା ରାତିର କୋଳେ
ଅନ୍ଧାରେ ଅନ୍ଧାର ଦେଖୁଥିଲେ ଆଖି
ନିଦ୍ରିତ କୋଳାହଳେ I
ଝରକା ସେପାଖେ ବରଷା ଝରିଲା
ଗୀତଟିଏ ଗାଇ ଗାଇ
ଆକାଶଟା ସାରା ତାରା ଖେଳୁଥିଲେ
ଜହ୍ନ ପଡିଥିଲା ଶୋଇ I
ଝରକା ଖୋଲି ମୁଁ ମନ ଖୋଲିଦେଲି
ଖୋଲିଦେଲି ଆଖିପତା
କାନେ ପଡିଗଲା ଛମ୍ ଛମ୍ ସ୍ୱରେ
ବରଷାର ଆତ୍ମୀୟତା I
ମୋ ଭିତରେ ସଖୀ ଶୋଇଥିଲ ତୁମେ
ସଧୀରେ ଉଠିଲ ଚେଇଁ
ପ୍ରିୟତମା ଶୀତ ଦୂରେ ଚାଲିଗଲା
ପାରିଲନି ତାକୁ ଛୁଇଁ I