ପ୍ରିୟତମ ସାଥୀ
ପ୍ରିୟତମ ସାଥୀ
ସେ ଯେଉଁ ନିରୀହ ମନ ,
ଶାନ୍ତ ହୃଦୟ ,
ଅସରନ୍ତି ପୁଲକର ତରଙ୍ଗ ନେଇ
ଆସିଥିଲି ସେଦିନ
ସାଙ୍ଗରେ ତୁମର ।
ଜାଣି ତ ନଥିଲି ସାମାଜିକ
ସାଂସାରିକ କର୍ମ
କର୍ତ୍ତବ୍ୟର କି ରୂପ ଦେଖିବି ଆସି ,
ବୁଝାଇ ଥିଲ ସବୁ ସହଜ ସରଳ
ହେବ ବୋଲି ତୁମେ ।
ଅବ୍ୟକ୍ତ ରହୁଥିଲା ସବୁ ଭାବନା
ଚିନ୍ତନା, ଆକାଂକ୍ଷା ମୋର ;
ଲଜ୍ଜାର ଓଢଣୀ ତଳେ ରହୁଥିଲି ବୋଲି ,
ପଢାଇଥିଲ ପରିପ୍ରକାଶର ସମସ୍ତ ଧାରା
ପ୍ରିୟ ସାଥି ଟିଏ ହୋଇ ତୁମେ ।
ଧିରେ ଧିରେ ସବୁ ଜାଣିଗଲି, ଶିଖିନେଲି
କରିଗଲି ,ଚଳେଇନେଲି ;
ଶାନ୍ତଶିଷ୍ଟ ଛାତ୍ରୀଟିଏ ପରି ।
ତାପରେ କାହିଁକି କେଜାଣି ମୋତେ ଲାଗୁଥିଲା,
ଅଣଦେଖା କରି ପ୍ରଭଞ୍ଚନାରେ ଭରିଦେଲ
କାର୍ଯ୍ୟ ବ୍ୟସ୍ତତାର
ବାହାନାରେ ତୁମେ ।
ଚଳେଇ ନେବାର ନିୟମରେ ପଡି
କେବେ ଯେ ...ଅସହ୍ୟ, ଭାରାକ୍ରାନ୍ତ
ହୋଇଯାଇଥିଲା ସେଇ ଉପେକ୍ଷିତ ମନ,
ଅଦୃଶ୍ୟ ବହ୍ନିରେ ଢାଳିଦେଲ
ଘୃତ ଯେ ପୁଣି ତୁମେ ।
ଅସହ୍ୟ ଜ୍ଵଳନରେ ଜଳିଉଠିଲି
ଜଳୁଥିଲା ଯେ ପୁଣି ,
ଅଭିସନ୍ଧିସ୍ଥୁ ହୃଦୟର ଲହୁ ତକ ,
ବୁଝି ତ ପାରି ନଥିଲ ଟିକେ ହେଲେ ,
ଶକ୍ତ ଆଘାତରେ ବିଖଣ୍ଡିତ,
ସେଇ ଆତ୍ମାକୁ ତୁମେ ।
ଦୁଇ ଦଶନ୍ଧିରୁ ଅଧିକ ଯେ ଅତିକ୍ରାନ୍ତ,
କେବେ ଆଉ ସତରେ ,
ବୁଝି ପାରିବ
ନିରୀହତାରୁ ପରିବର୍ତ୍ତିତ ସେଇ କ୍ଳେଶଭରା
ଆକ୍ରୋଶର ମନକୁ ତୁମେ ?
କେବେ ଆଉ ଫେରିବ
ମୋ ପ୍ରିୟତମ ହୋଇ ତୁମେ ?

