ପ୍ରିୟାର ଓଢ଼ଣୀ
ପ୍ରିୟାର ଓଢ଼ଣୀ
ପାଦ ଚାପି ଛନ୍ଦେ ଆସେ ଯେବେ ପ୍ରିୟା
ପାହେ ନାହିଁ ଜହ୍ନ ରାତି
ପୁଷ୍ପ ବିଭୂଷଣେ ଉଠଇ ଝଟକି
ପ୍ରିୟା ଅପରୂପ କାନ୍ତି ।
ଓଢ଼ଣୀର ତଳେ ଲାଜେଇ ପ୍ରିୟାର
ମୁହଁଟି ଉଠେ ଚମକି
ଓଠରୁ ଝରଇ ସ୍ମିତ ମଧୁ ହାସ୍ୟ
ମନ ରହିଯାଏ ଲାଖି ।
ଅଳପ ହସରେ ଅଳପ ଭାଷାରେ
କଥା କହେ ଯେବେ ପ୍ରିୟା
କିଣି ନିଏ ମନ ଅନିନ୍ଦ୍ୟ ମାଧୁରୀ
ଅବ୍ୟକ୍ତ ଭାବ ଅକୁହା ।
ପ୍ରିୟାର ପରଶେ ଥାଏ ସମ୍ମୋହନ
ହୃଦୟେ ପ୍ରୀତି ମହକ
ଚୁମ୍ବକ ଯେସନେ ଆକର୍ଷୈ ଲୁହାକୁ
ଓଢ଼ଣୀ ଛୁଆଁ କୁହୁକ ।
ଫୁଟେ ପାରିଜାତ ବିକଶେ କମଳ
ଫିଟିଲେ କୁହୁକ ଦ୍ୱାର
ପ୍ରିୟାର ଓଢ଼ଣୀ ତଳେ ଉଙ୍କିମାରେ
ସବୁଜ ସ୍ୱପ୍ନ ସୁନ୍ଦର ।
ପ୍ରିୟା ଓଢ଼ଣୀରେ ସୁଖର ସମ୍ଭାର
ଇନ୍ଦ୍ରଧନୁ ସପ୍ତରଙ୍ଗ
ହାତ ପାହାନ୍ତିରେ ଧର୍ମ ପୁଣ୍ୟ ପଥ
ମିଳିଥାଏ ପୂରା ଚାନ୍ଦ ।
-----