ପ୍ରିୟା ମୋ ଖୁସି ର ଅନ୍ତଃସ୍ବର
ପ୍ରିୟା ମୋ ଖୁସି ର ଅନ୍ତଃସ୍ବର
ପ୍ରିୟା ତୁମେ ମୋ ଜୀବନ ର ଖୁସି
ତୁମେ ଥିଲେ ମୋ ସାଥେ, ମନ ଗହନ ବନରେ
ଉଦ୍ଭାସିତ ହୁଏ ପ୍ରେମ ର ସପ୍ତରଙ୍ଗ
ସେହି ରଙ୍ଗ ଲାଗିଗଲେ ତନୁ ମନେ
ମେଣ୍ଟିଯାଏ ଅପରିତୃପ୍ତ ପ୍ରେମ ର ତୃଷ୍ଣା
ପ୍ରିୟା ତୁମେ ଥିଲେ ସାଥୀରେ
ତୃପ୍ତ ହୁଏ ଅସୁମାରି ଅନାହତ ଅଭିଳାଷା
ପୂର୍ଣ୍ଣ ହୁଏ ସବୁ ଅବଦମିତ ଅୟୁତ ଆଶା ।
ଯଦି ତୁମେ କେବେ ଅଧା ଛାଇ ଆଲୁଅ ରେ
ଲୁଚକାଳି ଖେଳ ଅଭିମାନେ
ମନ ମୋର ଭାବନା ସଞ୍ଚରି ଯାଏ
କ୍ଷଣିକ ପାଇଁ ହେଉ ପଛେ
ସଫା ଚାନ୍ଦ ର ଗ୍ରହଣ ଲାଗିବା ଭଳି
ପୂର୍ଣ୍ଣଚ୍ଛେଦ ଟିଏ ଟାଣି ହୋଇଯାଏ ।
ପୁଣି ଅଙ୍କୁରିତ ହୁଏ ଆଉ ଏକ ଭାବାନ୍ତର
ବତୁରା ବୀଜ ରୁ ଅଙ୍କୁରୋଦଗମ ଭଳି
ପ୍ରେମ ପ୍ରଣୟ ର ଫଲଗୁ ଧାରା
ମହମହ ବାସ୍ନାରେ ବାସ୍ନାୟିତ ହୋଇ
ସଞ୍ଚରି ଯାଏ ଦେହ ମନ ପ୍ରାଣ ର
ଅଦେଖା ଗଳିକନ୍ଦି ରାସ୍ତା ସମୂହ
ପ୍ରିୟା , ସେହି ଅଳ୍ପ ବ୍ଯବଧାନ
ବେଳେବେଳେ ଲେଖି ଯାଏ ଗଳ୍ପ ଅମ୍ଳାନ
ଝରାଇ ଦିଏ ଅହେତୁକ ଅସରନ୍ତି ଲୁହ।