STORYMIRROR

Sarmistha Palai

Romance

4  

Sarmistha Palai

Romance

ପ୍ରୀତିର ନାଵ

ପ୍ରୀତିର ନାଵ

1 min
255

ନଦୀ ସେପାରିରେ ତୁମ ଗାଁଆ ଥିଲା

  ନଦୀ ଏପାରି ମୋ' ଗାଁଆ

ତୁମେ ପଠାଇଲ କାଗଜ ଡ଼ଙ୍ଗାକୁ

  ବସିକି ଗଲି ମୁଁ' ନାଆ।


ମୁହଁ ସଞ୍ଜ ବେଳେ ନାବରେ ବସିକି

  ଲାଗୁଥିଲା ଭାରି ଡର

ହେଲେ ଅମାନିଆଁ ମନ ଛନ ଛନ

  ହେବି କେମିତି ତୁମର।


ଅକାତ ପାଣିରେ ନାଆ ଭାଷୁ ଥିଲା

  ଗଗନେ ଖେଳେ ଅନ୍ଧାର

ପକ୍ଷୀ ମାନେ ସବୁ ନୀଡ଼କୁ ଫେରନ୍ତି

  ମୁଁ' ଖୋଜେ ସପନ ଘର।


ତୁମ କଥା ଭାବି ଭାବି ଅଜାଣତେ

  ପାଣିକୁ ଦେଲି ମୁଁ' ଚାହିଁ

ସତେକି କହୁଚ ହାତ ଠାରି ମୋତେ

  ଲାଜ କର କାହିଁ ପାଇଁ।


ସରମି ଲତା ମୁଁ' ଲାଜେଇ ଚାହିଁଲି

  ତୁମରି ଚନ୍ଦ୍ର ବଦନ

ନଈ ଆର ପଟେ ତୁମ ଘର ପରା

  ଆସିଲ କେମିତି ଧନ।


ଉତ୍ତର ଶୁଭିଲା ମୋ' କର୍ଣ୍ଣ ଯୁଗଳେ

  ଡର ଲାଗୁଥିବ କାଳେ

ସେଥିପାଇଁ ପ୍ରିୟା ରହି ପାରିଲିନି

  ଧରି ନେବି ମୋର କୋଳେ।


ଭାବନା ରାଇଜେ ଏମିତି ମୁଁ' ଥିଲି

  ନାବ ଯେ' କୂଳେ ଲାଗିଲା

ବାହୁ ବନ୍ଧନର ପରଶ ପାଇକି

  ମୋ' ସ୍ୱପ୍ନ ଟି' ଭାଙ୍ଗି ଗଲା।


ହସ୍ତ ପାପୁଲିର ବଳୟ ମଧ୍ୟରେ

  ଲୁଚାଇଲି ମୋର ମୁଖ

ପ୍ରିୟକୁ ପାଇ ମୁଁ' ନିଜକୁ ଭୁଲିଲି

  ସେଇ ମୋ' ସର୍ବସ୍ୱ ସୁଖ ।


Rate this content
Log in

Similar oriya poem from Romance