ପ୍ରୀତି ଉପବନେ ରଚିଲା ରାସ
ପ୍ରୀତି ଉପବନେ ରଚିଲା ରାସ
ନିଦାଘେ ଜଳିଲି ପୀରତି ବହ୍ନିରେ
ପ୍ରିୟା ବିନା ମନ ହେଲା ଅଧିର
ଦିନରାତି ମିଠା ପରଶ ଖୋଜିଲି
ସପନେ ଆଙ୍କିଲି ଚିତ୍ର ତାହାର ।
ବରଷା ସାଥିରେ ଭିଜିଲି ରାସ୍ତାରେ
ଓଦା ହୋଇଗଲା ସାରା ଶରୀର
ହୃଦୟେ ଭରିଲା ପୀରତି ଭାବନା
ଅଜାଣତେ ତୋଳିଦେଲି ନଅର ।
ଶରତେ ନିର୍ମଳ ଆକାଶେ ଉଇଁଲା
ସ୍ନିଗ୍ଧ ଜ୍ୟୋତ୍ସ୍ନାମୟୀ ଶୁଭ୍ର ଚନ୍ଦ୍ରମା
ଚନ୍ଦ୍ରମା ଶରୀରେ ମୋତେ ଦିଶୁଥିଲା
ଚଗଲି ପ୍ରିୟାର ମୁଖ ପ୍ରତିମା ।
ହେମନ୍ତ ଆଗତେ ନୀଳ ସରୋବରେ
ନୀଳକଇଁ ହୃଦେ ଶଶୀର ପ୍ରୀତି
ପ୍ରେମିକ ପଣରେ ପ୍ରେୟସୀକୁ ମୋର
ଲେଖିଲି ଅନେକ ଚିଠି ନିଇତି ।
ଶୀତୁଆ ସକାଳେ ସୁନେଲି ରଶ୍ମୀରେ
ଝଲସି ଉଠିଲା ଶିଶିର ବିନ୍ଦୁ
ମୋତେ ଲାଗୁଥିଲା ଫୁଲେଇ ପ୍ରିୟା ମୋ
ସିନ୍ଦୁର ଟୋପାରେ ସାଜିଛି ବଧୂ ।
ବସନ୍ତ ଆଣିଲା ମଳୟ ପବନ
ନାନା ରଙ୍ଗ ଫୁଲ ଢାଳିଲେ ବାସ
ରଙ୍ଗର ମେଳଣ ଦୁହିଁଙ୍କୁ ରଙ୍ଗେଇ
ପ୍ରୀତି ଉପବନେ ରଚିଲା ରାସ ।