ପ୍ରୀତି ବନ୍ଧନ
ପ୍ରୀତି ବନ୍ଧନ
ମଗ୍ନ ହୃଦୟର ପ୍ରୀତି ବନ୍ଧନେ ଶକ୍ତ ସଂପର୍କ ଡୋରି
ଆହୁରି , ଭାବନା-ବସନ୍ତ ମେଳି ସୁଖ ଯାଉଥାଏ ଝରି
ସାତ ଜନମର ଲେଖା ,
ଅଛି ବୋଲି ମନେ ମାଦକ ଖେଳଇ ଏ ଆମ ଭାଗ୍ଯଲେଖା |
ଆଖିର ଆଳାପ ଅଳପ ଅଳପ ଓଠରେ ଅଳପ ହସ
ପାଦର ପାଉଁଜି ଋଣୁଝୁଣୁ ସେ ତ ମୁହଁର କୁଆଁରୀ ବେଶ
ଛାତିରେ ମାରଇ ତୀର ,
ଛାତିରୁ ନିଗିଡା ରକତ ସେ ନୁହେଁ ପ୍ରୀତି ଝରେ ଝର ଝର |
ପ୍ରୀତିର ସେ ଝରା ଝରଣାର ସୁର ସାଥେ ସୁଲୁସୁଲୁ ବାଆ
ଆଖିର ସେ ମୁଦା ପଲକରେ ପୁଣି ଉଷୁମ ଓଠର ଛୁଆଁ
ଅହରହ ସେଇ ଭାବ ,
ଉତୁରି ଆସେ ମୋ ହୃଦୟ କନ୍ଦରୁ ସେ ତ ମହା ଅନୁଭବ |
ସୁଖ ସୋହାଗର ପ୍ରୀତିର ଏ ପଣ ଅନୁଭୂତି କେତେ ସେ ତ
କଳପନା ପୁଣି ମରୀଚିକା ବୁକେ ଚିର ସବୁଜିମା ପଥ
କେତେ ଛୁଆ ଛୁଆ ଲାଗେ ,
ସକଳ ସାଇତା ସଜଳ ସୁଖରେ ଗହଗହ ବୁକୁ ଭାଗେ |
ମନ ମରୁ ତଳେ
ହତାଶାରେ ତୃଷା କ୍ଷଣେ ଦିଏ କେତେ ବ୍ଯଥା
ବ୍ଯଥାର ସଜଳ ଲୁହ ଇସାରାରେ ଓଠର ଅନେକ କଥା
ଓଠ ତ ଅକୁହା ସଦା ,
ତଥାପି ତଥାପି ସବୁତକ ଭାଷା ଭାଷେ ଭାବ ନିବିଡତା |

