ପ୍ରେମର ବିପଣୀ
ପ୍ରେମର ବିପଣୀ
ଜହ୍ନରେ,
ତୋ ଠୁ ହିଁଁ ଶିଖିଛି ପ୍ରେମର ବିପଣୀ
ଆଉ ସବୁବେଳେ ଏଇ କାରବାରରେ
ତୁ ହିଁ ଚେତେଇ ଦଉ ।
ତୁ ତ ମୋ ମାମୁଁ ଙ୍କ ମାମୁଁ
ବାପାଙ୍କ ମାମୁଁ , ମା' ଙ୍କ ବି ମାମୁଁ
ଆହୁରି, ପ୍ରେମିକଙ୍କ ନିରୁପମା ପ୍ରେମିକା
କିନ୍ତୁ , ତୁ ମୋର ମାମୁଁ ନୋହୁ କି
ନା ବି ପ୍ରେମିକା ।
ସେଥିପାଇଁ ତ
ମୋର ସବୁ କଥା ତୋ' ଠାରେ ଅଛପା ।
ଦେଖ୍ ,
ମୁଁ ଅଲବତ୍ ଢୋକୁଛି
ସେଇ ଥୁକି ଦେଇଥିବା ଛେପକୁ ।
ଖାଲି ଫରକ୍ ଏତିକି
ମୁଁ ଦେଖି ପାରୁନି , ତୁ ସବୁ ଦେଖୁଛୁ ।
ଦେଖ୍ ,
ତୋର କଇଁ ଯେତେ ଚୁଲବୁଲି
ମୋର ପ୍ରିୟା ବି ତା' ଠୁ ବଢ଼ିକି
ହେଲେ ତୁ ହିଁ ତ ଶିଖେଇଛୁ ମତେ
ଥୟ ଆଉ ବିଶ୍ବାସର ପରିଭାଷା ।
କିନ୍ତୁ
ତୁ ବି କହ
ତୋ'ରି ଛାତିରେ
କାହିଁକି ଲେଖିବି ମୋ ପ୍ରିୟାର ନାଁ ?
ହଁ ମୁଁ ସ୍ବାର୍ଥପର ହୋଇପାରେ
କାହିଁକି ଦେଇ ଦେବି ତା'ର
ପରିଚୟ- ଗାଁ କି ଠିକଣା !
କେବଳ ଏତିକି କହିପାରେ
ଅନ୍ଧାର କୁ ଯିବା ପୂର୍ବରୁ ଯେମିତି
ଶିଖେଇ ଦେଇ ଯାଉ ତୋର କଇଁ କୁ
ପ୍ରେମର ପରିଭାଷାକୁ ଦେଖାଇ ବାଗ୍ମିତା ।
ସେମିତି ମୋର ପ୍ରିୟା କୁ ବି ତୁ
ଦେଇ ଯାଇଥିବୁ
ରଜତ ମାୟାର କିଛି କିଛି ଉଷ୍ମତା ।
ଯେହେତୁ,
ମୋର ପ୍ରିୟାର ପସନ୍ଦ କୁ ଆସେନି
କଳା ମିଟି ମିଟି ଅନ୍ଧାରର ସ୍ତବ୍ଧତା ।
ଦେଖ୍ ,
ମୁଁ ପୁଜ ଚୋଷିବି ପଛେ
ଘା' ପରେ ବସି
ଏ କଥା ତୁ ହିଁ ତ ଶିଖେଇଛୁ
କାହିଁକି ଭ୍ରମର ହେବି ,
ଏ ଫୁଲରୁ ସେ ଫୁଲକୁ ଉଡ଼ାଣ ଝାଡ଼ିବି !!