ଆସ ପ୍ରିୟତମ
ଆସ ପ୍ରିୟତମ
ମନ ମୁତାବକ ମନ ଏଠି ଯଦି ମିଳେ ନାହିଁ ସହଜରେ
ପ୍ରିୟତମ ମମ ଶୁଣ ହେ ତଥାପି ଏଇ ମୋ ହୃଦୟ ଛାଇ ,
ପ୍ରସାରିବ, ତୁମ ବାହୁବେଷ୍ଟନିରେ, ଆଲିଙ୍ଗନ ପରଶରେ-
ସୁଖଯାପି ନିତି
ଭାବୁଥିବ ମତେ-'ତୁମେ ଯେ ପ୍ରେରଣାଦାୟୀ' ||
ନ ପାରିଲେ ନାଇଁ ମୃତ୍ଯୁଘାଟରୁ ଫେରାଇ ଆଣି ମୁଁ
ତଥାପି କହୁଛି ଆସ ପ୍ରିୟତମ ଆସ ,
କାଳ କଳପନା ଭାବର ବ୍ଯୁହ ନ ପାରେ ଜିଣି ମୁଁ
ପ୍ରୟାସୀ ମନରେ ତଥାପି ତଥାପି ହସ ||
ସାଥେ ଆଶା କେତେ ପଲକେ ଉଛୁଳି ପ୍ରୀତି ସୁହାଗେ
ଭାଜେ ନିରବତା କୁହୁକ କଂପନ ଜାଗି ,
ମାଦକ ଖେଳାଏ ବିଧୁନିତ ବୁକୁ ଅନ୍ତର ଭାଗେ
ଆସ ତେଣୁ ପ୍ରିୟ ଆକୁଳେ ରହିଛି ଜଗି ||
ଯଉବନ ଧନ ଜୀବନ ସକଳ କାମନା ଧରି-
ଆସିଲେ , ଏଇଠି ଯଦି ବା ତମର ଅଥୟ ମନ ,
ଜ୍ଯୋସ୍ନା ଆଲୋକେ ପ୍ରଣୟ ପୁଲକେଭରି-
ଦେବି ଓଠେ ତୁମ ନୂତନ ସଂଗୀତ ଗାନ ||
ହସର ପରିଧୀ ବୃହତ୍ତର ବୋଲି ମୋ ଛାତି ତଳେ
ଲୁଚି ଛପି ଥିବା ଲମ୍ବାଚଉଡା ବୁକୁ ,
ଆହୁରି ପ୍ରସାରି ନ ପାରେ ବୋଲି ମୁଁ ଭାଳେଁ
ତେଣୁ ଆସ ପ୍ରିୟ ଡାକଇ ଅନ୍ତର ପାଖୁ ||
କେମିତି ଜାଣିବ ମୋ ଛାତି ଅନ୍ତର ବୋଲି ବିରାଟ
ଜୀବନର ଏଇ ପରିଚୟ ହୀନ ପଥେ ,
ଭାବ ବିଭୋର ରେ ହୃଦୟ ମାନଙ୍କ ଗୋଠ-
ହୁଏ କି ସମ୍ଭବ ବୋଲି ତୁମ ପ୍ରଶ୍ନ କେତେ !!
ଯଦି ଏଠି ଖାଲି ଶୋକ ଲୁହ କୋହ ଯାତନା ସବୁ
ସକଳ ବେଦନା ସହିବାକୁ ହୁଏ , ଜଳିବାକୁ ଦାବାନଳେ ,
ସୁଖ ହସ ଏଠି ବନ୍ଧା ପଡେ ଯଦି ଦୁଃଖ କଥା ଭାବୁଭାବୁ
ଆସ ତେଣୁ ପ୍ରିୟ ପାଦ ଥାପିବାକୁ ପ୍ରୀତିର ଝରଣାକୂଳେ ||
ହୃଦ ଅଳିନ୍ଦରୁ ଉଛୁଳି ଯିବ ଯେ ହସର ଧାରା
ଯେହେତୁ ଜୀବନ ଋତୁଚକ୍ର ପରି ଘୁରେ ,
କାଳେ ଥିବ କି ନା ଏ ସମୟ- ପ୍ରାତତାରା
ସାଇତିଛି (ତେଣୁ) ପ୍ରିୟ ତୁମ ପାଇଁ ଏ ଅନ୍ତରେ ||