ପରିଭାଷା
ପରିଭାଷା
ପ୍ରେମ,
ନା ସେ ଇଂରାଜୀର ଫେବୃୟାରୀରେ ଆସେ
ନା ଆସେ ଫାଗୁଣୀ ରଙ୍ଗରେ
ନା ଚଇତି ପବନର ମତୁଆଲା ମଧୁ ମହକରେ,
ପ୍ରେମ ଆସେ ନିତିଦିନିଆ ବେରଙ୍ଗ ସକାଳେ
ସେଇ ଦେହସୁହା ସୂର୍ଯ୍ୟଟିଏ ହୋଇ
ବିତିଯାଉଥିବା ଦିନ ମାନଙ୍କର ରେଳଡବାରେ
ଅଭ୍ୟସ୍ତ ଏକ ଗୋଳମାଳିଆ ଭାବପ୍ରବଣତାରେ।
ପ୍ରେମ,
ନା କେଉଁ ରେଷ୍ଟୁରାଣ୍ଟର ଟେବୁଲର ମଳିନ ଆଲୋକରେ ଆସେ
ନା ଆସେ ବେଳଭୂମିର ଲୁଣିଆ ବାଲିରେ
ନା କେଉଁ ନିକାଞ୍ଚନ ନଦୀକୂଳ ବରଗଛ ତଳେ,
ପ୍ରେମ ଆସେ ଜୀବନର କାଦୁଆ ତୋଟାରେ
ନିଆଁଲଗା ଭୋଦୁଅଟେ ହୋଇ
କେଉଁ ଅପହଞ୍ଚ ଭାବନାର ନିଃସଙ୍ଗ ଇଲାକାରେ
ଏକ ଅତି ପରିଚିତ ଓ ଅନ୍ତରଙ୍ଗ କୋଳାହଳରେ।
ପ୍ରେମ,
ନା କେଉଁ ଚପଳା ଆଖିର ଚଞ୍ଚଳ ଇଶାରାରେ ଆସେ
ନା ଅଧରରେ ଅଧରର ଗାଢ଼ ସଂଯୋଗରେ
ନା କେଉଁ ଦୈହିକ ମାନଚିତ୍ରରେ ଭୋଗ ସନ୍ଧାନରେ,
ପ୍ରେମ ଆସେ ସଂଘର୍ଷମୟ ଜୀବନର କ୍ରୁର ଭୁକମ୍ପରେ
ଅବିଚଳିତ ଏକ ଆତ୍ମୀୟତା ହୋଇ
ଅଥଳ ଜଳଧିରେ ଟଳମଳ ଏକ ଭଙ୍ଗା ନୌକାରେ
ପ୍ରଗାଢ଼ ବିଶ୍ୱାସର ଅବିଶ୍ୱସନୀୟ ତାଳମେଳରେ।