ପରିବାର...
ପରିବାର...
ପରିବାର ଟିଏ ଗଢ଼ିବାର ସ୍ବପ୍ନ ନେଇ
ବାଇ ଚ଼ଢେଇଟି
ବୁଣି ଚ଼ାଲେ ଦିନରାତି
ତାଳ କି ଖଜୁରି ଗଛରେ
ଘାସ କି ଖଜୁରି ପାଲର ବସା ଟିଏ ।
ଫଗୁଣରେ ତା ଦେହରେ
ଯୌବନର ଦୀପ୍ତି ପ୍ରତିକୂଳ ହେଲେ
ମୃଦୁ ଶିହରଣ ବେଳେ ଯାକିଯୁକି
ତା ଛୋଟ ଡେଣାରେ
କୁଆଁରୀ ଲାଜକୁ ଲୁଚ଼େଇ
ଆକାଶକୁ ଚ଼ାହିଁ
ଦିନ ଗଣେ ଋତୁ ଅନୁସାରେ
ଆଗନ୍ତୁକ ପ୍ରେମିକର ପଥ ବାହୁଡ଼ାକୁ ।
ମନ ଯେବେ ଉଡ଼ିବୁଲେ
ବୈଷାଖର ନିଷ୍ଠୁର ଝାଞ୍ଜିରେ
କୋଇଲି ତା ଗୀତ କୁହୁ କୁହୁ ଗାଏ
ଆମ୍ବ ବଉଳର ଗହଳ ପେନ୍ଥାରେ
ହଳଦୀ ବସନ୍ତ ନିମ୍ବ କଢ଼ି ଖାଇ
ସାତ ସୁର ରାଗ ଗାଏ
ଖରାବେଳେ ନିଜ ଇଲାକାରେ
ପିଙ୍ଗଳ ପତ୍ର କଅଁଳି ମହୁଲ ଫୁଲ
ସ୍ବାଗତ କରନ୍ତି
ପ୍ରେମ ରୂପକ ସେ ସପ୍ତମ ଋତୁକୁ ।
ଶୀତର ଲହରୀ ନେଇ
ନୂତନ ସମ୍ଭାବନା ସବୁ
ହୃଦୟରୁ ଅନ୍ୟ ହୃଦୟକୁ
ବ୍ୟାପିଯାନ୍ତି ନୂଆଁ ଆଶାର ସୁଅରେ
ଡାମରା କାଉ ନିଦ ଭାଙ୍ଗି ଦିଏ
ପ୍ରତ୍ୟେକ ସ୍ବପ୍ନିଳ ବେଳାରେ ।
ଆଉ......ଆଷାଢ଼ରେ
ବାଇ ଚ଼ଢ଼େଇଟି
ବର୍ଷାର ଉଦ୍ଧାମତାକୁ ଉପଭୋଗ କରି
ମାଦକତା ଭରି ରଙ୍ଗିନ ମନରେ
ବାଛି ବାଛି ଶବ୍ଦକୁ ସଂଯୋଜନା କରେ
ଗୋଟେ କବିତା ଲେଖିବାପାଇଁ
ତା ପ୍ରେମିକ ଉଦ୍ଧେଶ୍ୟରେ ।
ଯେବେ ଗୋଧୂଳି ବେଳାରେ
ଫେରିଆସେ ତା ସାଥୀ ପକ୍ଷୀଟି
ବାଟ ଚ଼ିହ୍ନି ଠିକଣା ନିଡ଼କୁ
ଶ୍ରାବଣର ଘନ ଅନ୍ଧାର ରାତିରେ
ଚ଼ଞ୍ଚୁରେ ଚ଼ଞ୍ଚୁ ମିଶେଇ
ପ୍ରେମର ପରିଭାଷା ବୁଝନ୍ତି
ପରିବାର ଟିଏ ଗଢ଼ିବା ଆଶାରେ ।

