ପ୍ରହେଳିକା
ପ୍ରହେଳିକା
ଏଇତ ଦୁନିଆ ରଙ୍ଗ ମଞ୍ଚ ଗୋଟେ
ଚାରିଆଡ ପ୍ରହେଳିକା
ବିଶ୍ବାସ ଏଇଠି ଦିବା ସ୍ବପ୍ନ ଅଟେ
ବହୁତ ରହିଛି ଧୋକା ।
ଉପରେ କୋମଳ ମଧୁର ବଚନ
ଭିତରେ କାଳ ଜହର
ଏମିତି ସୁନ୍ଦର ମନେଇ ନିଅନ୍ତି
ଛଳନେ କରନ୍ତି ଘର ।
ମନେ ଆଙ୍କି ସିଏ କେବେ ଇନ୍ଦ୍ରଧନୁ
ସପ୍ତ ରଙ୍ଗ ଦେହେ ମାଖି
କେବେ ସେ ଫଗୁଣେ ବିନା ଶ୍ରାବଣରେ
ଭିଜୁ ଥାଏ ଦୁଇ ଆଖି ।
କେବେ ସେ ଜୀବନେ ମରୁ ତପ୍ତ ବାଲି
ମାୟାମୃଗ ମରୁତୃଷ୍ଣା
କେବେ ସେ ଜୀବନେ ସଙ୍ଗୀତ ମୁର୍ଚ୍ଛନା
କେବେ ପାଲଟେ ବିତୃଷ୍ଣା ।
କେବେ ମନେ ତୋଳେ ଆଶାର ସୌଧ ସେ
କେବେ ଭାଙ୍ଗି ଦିଏ ଘର
କେବେ ସିଏ ପୁଣି ଖେଳୁ ଥାଏ ଖେଳ
ସାଜି ବାଜି ଯାଦୁଗର ।
କେବେ ସେ ବଞ୍ଚିବା ଝଲକ ଦେଖାଏ
କେବେ ମରିବାର ରାସ୍ତା
ସତ ମିଛ ଏଇ ଦୁନିଆରେ କେବେ
ଜୀବନ ତା ପାଇଁ ଶସ୍ତା ।
ଚିହ୍ନା ଅଚିହ୍ନାର ଫରକ ପଡେନି
ଲାଗେ କେତେ ଆପଣାର
ଆଖି ଖୋଲି ଦେଲେ ସବୁ ମିଛ ଥାଏ
ସବୁ ରହି ଥାଏ ଦୂର ।
କେବେ ସାଜେ ସିଏ କାଳ ବଇଶାଖି
କରେ ଚକ୍ରବ୍ୟୁହ ଖେଳ
କେବେ ସେ ଭରଇ ଆଖିରେ ସପନ
କେବେ ସାଜିଥାଏ କାଳ ।
ଆଶା ଅସୁମାରୀ ଖେଳୁ ଥାଏ ଢେଉ
କେବେ ସେ ନିରାଶା ଜୁଈ
ସେ ଜୁଈ ପାଉଁଶେ ଲୀନ ହେଇଯାଏ
ଶୋଇ ସେ ମଶାଣୀ ଭୂଇଁ ।
କେବେ ନିର୍ଝରିଣୀ ଆଶା ସ୍ରୋତସ୍ବନୀ
ସାଜି ଥାଏଟି ନଉକା
କ୍ଷଣିକରେ ସବୁ ଧୂଳିସାତ୍ ହୁଏ
ଏମିତି ଏ ପ୍ରହେଳିକା ।
